Source :- ODIA PUA
ଭଦ୍ରକ, ୧୭ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବିଶିଷ୍ଟ କବି, ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ଶିକ୍ଷକ ଓ ଭଣ୍ଡାରିପୋଖରୀ ସାହିତ୍ୟ ସଂସଦର ପ୍ରତିଷ୍ଠାତା ଅଚ୍ୟୁତାନନ୍ଦ ସାମଲଙ୍କର ରବିବାର ପରଲୋକ ହୋଇଯାଇଛି। ଚଳିତ ମାସ ୮ ତାରିଖରେ ୮୫ ବର୍ଷ ବୟସରେ ପଦାର୍ପଣ କରିଥିବା ସ୍ୱର୍ଗତ ସାମଲ ଅପରାହ୍ନ ୫ଟା ସମୟରେ ଅସୁସ୍ଥ ହୋଇ ପଡିଥିଲେ। ଚନ୍ୟା ଭାଗ୍ୟଶ୍ରୀ, ଯୋଗ୍ୟାଶ୍ରୀ, ପୁତ୍ର ଆଦିତ୍ୟ, ଆଶିଷ ଓ ପରିବାର ଲୋକେ ତାଙ୍କୁ ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ପାଇଁ ଆଣିଥିଲେ। ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ। ମରଶରୀରକୁ ତୁଳସୀପୁର ବାସଭବନ ପରିସରରେ ଅନ୍ତିମ ସଂସ୍କାର କରାଯାଇଥିଲା। ବଡପୁଅ ଆଦିତ୍ୟ ମୁଖାଗ୍ନି ଦେଇଥିଲେ। ୧୯୪୨ ମସିହା ମଇ ମାସ ୮ ତାରିଖରେ ସରସଦା ପଞ୍ଚାୟତ ତୁଳସୀପୁର ଗ୍ରାମରେ ଜନ୍ମିତ ସ୍ୱର୍ଗତ ସାମଲଙ୍କ ‘ଦିନଟିଏ ପାପର ସହରେ’ ଶିର୍ଷକ କବିତା ୧୯୮୩ ମସିହାରେ ସାହିତ୍ୟ ପତ୍ରିକା ‘ଝଙ୍କାର’ରେ ପ୍ରକାଶିତ ହେବା ପରେ ସାହିତ୍ୟ ସୃଷ୍ଟି ଓ ସଙ୍ଗଠନ ଗଢିବାର ଦିଗରେ ନିଜକୁ ନିୟାଜିତ କରିଥିଲେ। ସାହିତ୍ୟ ସୃଷ୍ଟିର ଦୀର୍ଘ ଯାତ୍ରା ପଥରେ ସାହିତ୍ୟ ସଙ୍ଗଠକ ଓ କବି ଭାବେ ସବୁଠି ପରିଚିତ ହୋଇଛନ୍ତି ପ୍ରଜ୍ଞାପୁରୁଷ ଅଚ୍ୟୁତାନନ୍ଦ। ଜଣେ ଆଦର୍ଶ ଓ ଦୂରଦର୍ଶୀ ଶିକ୍ଷକ ହିସାବରେ ୧୯୮୩ ମସିହାରେ ରାଜ୍ୟପାଳ ଓ ୧୯୯୧ ମସିହାରେ ରାଷ୍ଟ୍ରପତିଙ୍କ ଦ୍ୱାରା ପୁରସ୍କୃତ ହୋଇଛନ୍ତି। ସାହିତ୍ୟ ସାଧନା ପାଇଁ ୨୦୦୮ ବର୍ଷ ଲାଗି ଓଡିଶା ସାହିତ୍ୟ ଏକାଡ଼େମୀ ଦ୍ୱାରା ସମ୍ବର୍ଦ୍ଧିତ ହୋଇଥିଲେ। ସାହିତ୍ୟର ବିଭିନ୍ନ ବିଭାଗରେ ଲେଖନୀ ଚାଳନା କରିଥିଲେ ହେଁ ମୁଖ୍ୟତଃ ଯୁକ୍ତଛନ୍ଦ ଓ ମୁକ୍ତଛନ୍ଦ କବିତା ରଚନାରେ ତାଙ୍କର ପଟୁତା ରହିଥିଲା। ‘ସଂଗ୍ରାମ ସରି ନାହିଁ’, ‘ମଧ୍ୟାନ୍ତର. ‘କ୍ରାନ୍ତିକୌମୁଦୀ’ ଓ ‘ନୂଆ ଜୀବନର ନକ୍ସା’ ଆଦି ୭ ଖଣ୍ଡ “କବିତା ସଙ୍କଳନ”, ୨ ଖଣ୍ଡ ସମ୍ପାଦିତ ପୁସ୍ତକ, ୩ ଖଣ୍ଡ ଶିଶୁ କବିତା ବହି ଓ ୧୦ ଖଣ୍ଡ ସାକ୍ଷରତା ପୁସ୍ତିକା ଓ ନିଜ ଜୀବନର ସ୍ମୃତିଲିପି ‘ଅଭୁଲା ଅନୁଭବ’ ପୁସ୍ତକର ସେ ସ୍ରଷ୍ଟା। ଏହି ପ୍ରଜ୍ଞାପୁରୁଷଙ୍କ ଦ୍ୱାରା ଅଭିନନ୍ଦନିକା “ଅଭୁଲା ଅଚ୍ୟୁତାନନ୍ଦ” ପ୍ରକାଶିତ ହୋଇଛି। କନ୍ୟା ଭାଗଶ୍ରୀ ସାମଲଙ୍କ ଦ୍ୱାରା ରଚିତ ‘ଅଚ୍ୟୁତାନନ୍ଦ ପରିକ୍ରମା’ ଉନ୍ମୋଚନ ହେବାକୁ ପ୍ରସ୍ତୁତି ସରିôତବା ବେଳେ ଇହଲିଳା ସମ୍ବରଣ କରିଛନ୍ତି। ‘ଓଡ଼ିଆ ଯୁବ ଲେଖକ ସମ୍ମେଳନ’, ‘ଉତ୍ତର ଓଡ଼ିଶା ସାହିତ୍ୟ ସଂସ୍କୃତି ସମ୍ମେଳନ’, ‘କାନ୍ତ ସାହିତ୍ୟ ପରିଷଦ’, ‘କବି ବସନ୍ତ ମୁଦୁଲି ସ୍ମୃତି ସଂସଦ’ ଆଦି ସାହିତ୍ୟ ସଙ୍ଗଠନର ସମ୍ପାଦକ ଭାବରେ ସେ ଉଲ୍ଲେଖନୀୟ କାର୍ଯ୍ୟ କରିଥିଲେ। ‘ନିଖିଳ ଉତ୍କଳ ଜାତୀୟ ଓ ରାଜ୍ୟ ପୁରସ୍କାରପ୍ରାପ୍ତ ଶିକ୍ଷକ ସଙ୍ଗଠନ’ର ସଙ୍ଗଠନ ସମ୍ପାଦକ ଭାବେ ୧୯୯୬ ରୁ ୨୦୧୬ ପର୍ଯ୍ୟନ୍ତ ଓ ‘ଭଣ୍ଡାରିପୋଖରୀ ସାହିତ୍ୟ ସଂସଦ’ର ପ୍ରତିଷ୍ଠାତା ସଭାପତି ଭାବେ ସେ ୧୯୭୭ ରୁ ୨୦୧୮ ପର୍ଯ୍ୟନ୍ତ ବର୍ଷ ୪୧ ଧରି କାର୍ଯ୍ୟ କରିଛନ୍ତି। ଏହି ସଙ୍ଗଠନ ରଜତ ଜୟନ୍ତୀ ସ୍ମରଣିକା, ‘ମହା ସାରସ୍ୱତ ସମ୍ମେଳନ ସ୍ମରଣିକା’ ଓ ‘ସ୍ୱର୍ଣ୍ଣଜୟନ୍ତୀ ସ୍ମରଣିକା’ ପ୍ରକାଶ କରିଛି। ତାଙ୍କ ଭଣ୍ଡାରିପୋଖରୀ ସାହିତ୍ୟ ସଂସଦ ସଭାପତି ଡଃ ସୁରେନ୍ଦ୍ର ମୋହନ ମିଶ୍ର, କାର୍ଯ୍ୟକାରୀ ସଭାପତି ‘ଅଞ୍ଜଳି’ ପ୍ରତ୍ରିକା ସମ୍ପାଦକ ପ୍ରକାଶ ମହାପାତ୍ର, ଉପସଭାପତି ଅଧ୍ୟାପକ ଅନାଦି ଚରଣ ସାହୁ, ଅଧ୍ୟାପକ ଭରତ ଚନ୍ଦ୍ର କରଣ, ସମ୍ପାଦକ ପବନ କୁମାର ନାୟକ, କବି ପୁରୁଷୋତ୍ତମ ଧଳ ପ୍ରମୁଖ ଗଭୀର ଶୋକ ପ୍ରକାଶ କରିବା ସହ ଶୋକସନ୍ତପ୍ତ ପରିବାର ପ୍ରତି ସମବେଦନା ଜ୍ଞାପନ କରିଛନ୍ତି।
SOURCE: ODIA PUA

