Home national news oriya ସାଉଦି ଆରବ ମାଟିରେ ଗୁଞ୍ଜରିଲା ‘ବନ୍ଦେ ଉତ୍କଳ ଜନନୀ’: କଳିଙ୍ଗନ୍ ପକ୍ଷରୁ ଭବ୍ୟ ଉତ୍କଳ ଦିବସ...

ସାଉଦି ଆରବ ମାଟିରେ ଗୁଞ୍ଜରିଲା ‘ବନ୍ଦେ ଉତ୍କଳ ଜନନୀ’: କଳିଙ୍ଗନ୍ ପକ୍ଷରୁ ଭବ୍ୟ ଉତ୍କଳ ଦିବସ ପାଳିତ

21
0

Source :- ODIA PUA

ଦମାମ 16-4 (ସାଉଦି ଆରବ): ବିଶ୍ୱର ସାମ୍ପ୍ରତିକ ଜଟିଳ ପରିସ୍ଥିତି ମଧ୍ୟରେ ସୁଦୂର ସାଉଦି ଆରବ ରେ ପ୍ରତିଧ୍ୱନିତ ହୋଇଛି ଓଡ଼ିଆ ଅସ୍ମିତାର ସ୍ୱର। ସାଉଦି ଆରବର ଅନ୍ୟତମ ପ୍ରତିଷ୍ଠିତ ତଥା ଜନହିତକର କାର୍ଯ୍ୟ ପାଇଁ ବିଶ୍ୱବିଦିତ ପ୍ରବାସୀ ଓଡ଼ିଆ ଅନୁଷ୍ଠାନ ‘କଳିଙ୍ଗନ୍’ (Kalingan) ପକ୍ଷରୁ ଉତ୍କଳ ଦିବସ ପାଳିତ ହୋଇଯାଇଛି। ପ୍ରାୟ ୨୦୦ରୁ ଅଧିକ ଓଡ଼ିଆ ପରିବାର ଏକାଠି ହୋଇ ବିଦେଶ ମାଟିରେ ଓଡ଼ିଶାର କଳା ଓ ସଂସ୍କୃତିର ଏକ ଅନନ୍ୟ ଛାପ ଛାଡିଛନ୍ତି।
ଏହି ଭବ୍ୟ କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଓଡ଼ିଶାର ସମୃଦ୍ଧ ସଂସ୍କୃତି ଓ ପରମ୍ପରାକୁ ବିଶ୍ୱ ଦରବାରରେ ପହଞ୍ଚାଇବା। ଉତ୍ସବର ଶୁଭାରମ୍ଭ ଓଡ଼ିଶାର ରାଜ୍ୟ ସଙ୍ଗୀତ ‘ବନ୍ଦେ ଉତ୍କଳ ଜନନୀ’ ର ଗାନ ସହ ଅତ୍ୟନ୍ତ ଭାବପୂର୍ଣ୍ଣ ପରିବେଶରେ ହୋଇଥିଲା। ଏହାପରେ ବିଶ୍ୱରେ ଶାନ୍ତି ପ୍ରତିଷ୍ଠା ପାଇଁ କଳିଙ୍ଗନ୍‌ର ସମସ୍ତ ସଦସ୍ୟଙ୍କ ପକ୍ଷରୁ ୨ ମିନିଟ୍‌ର ନୀରବ ପ୍ରାର୍ଥନା କରାଯାଇଥିଲା।
ଓଡ଼ିଶୀ ନୃତ୍ୟର ଶାସ୍ତ୍ରୀୟ ପରମ୍ପରା ‘ମଙ୍ଗଳାଚରଣ’ ରୁ ସାଂସ୍କୃତିକ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ଏହାପରେ ପଶ୍ଚିମ ଓଡ଼ିଶାର ଗର୍ବ ସମ୍ବଲପୁରୀ ନୃତ୍ୟ ସମେତ ଅନେକ ଓଡ଼ିଆ ମନୋରଞ୍ଜନଭିତ୍ତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ବିଶେଷ କରି କୁନି କୁନି ପିଲାମାନେ ଓଡ଼ିଶାର ଐତିହ୍ୟ ଓ ଉତ୍କଳ ଦିବସର ଗୁରୁତ୍ୱ ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ। ପବିତ୍ର ଶ୍ରୀକ୍ଷେତ୍ରରୁ ସୁଦୂର ସାଉଦି ଆରବ ପର୍ଯ୍ୟନ୍ତ ଜଗନ୍ନାଥ ସଂସ୍କୃତିର ପ୍ରସାର କରିବା ପାଇଁ ପିଲାମାନଙ୍କ ମଧ୍ୟରେ ଥିବା ଉତ୍ସାହ ବେଶ୍ ପ୍ରଶଂସନୀୟ ଥିଲା।
ଏହି ଅବସରରେ କଳିଙ୍ଗନ୍‌ର ଚିଫ୍ ସର୍ଭିସ କୋଅର୍ଡିନେଟର ଶେଖ ଶରାଫତ (Sheikh Sharafat) ଉତ୍କଳ ଦିବସର ତାତ୍ପର୍ଯ୍ୟ ଉପରେ ଏକ ସାରଗର୍ଭକ ଭାଷଣ ଦେଇଥିଲେ। ସେ କହିଥିଲେ ଯେ, “ବିଦେଶ ମାଟିରେ ରହି ମଧ୍ୟ ନିଜ ମାତୃଭୂମିର ସଂସ୍କୃତିକୁ ଉଜ୍ଜୀବିତ ରଖିବା ଏବଂ ନୂତନ ପିଢ଼ିକୁ ଓଡ଼ିଆ ପରମ୍ପରା ସହ ଯୋଡ଼ିବା ଆମର ମୂଳ ଲକ୍ଷ୍ୟ।” ସୂଚନାଯୋଗ୍ୟ ଯେ, ‘କଳିଙ୍ଗନ୍’ ସମୟ ସମୟରେ ବିଭିନ୍ନ ସେବାମୂଳକ ଓ ପରୋପକାରୀ କାର୍ଯ୍ୟ ପାଇଁ ସାରା ବିଶ୍ୱରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି।
ସମଗ୍ର କାର୍ଯ୍ୟକ୍ରମଟିକୁ କଳିଙ୍ଗନ୍‌ କୋର୍ କମିଟିର ସଦସ୍ୟ ଶିଶିର ଅଗଷ୍ଟିନ୍, ବିଶ୍ୱ ରଞ୍ଜନ ସାହୁ, ଦିଗମ୍ବର ମହାକୁଡ଼, ଇମତିଆଜ ଅଲି, ଜ୍ୟୋତିର୍ମୟ ଦାସ, ପ୍ରୀତମ ମହାନ୍ତି, ରଞ୍ଜନ ରଥ, ସନ୍ତୋଷ ଦାସ, ସୋଭନ ମହାନ୍ତି ଏବଂ ସୂର୍ଯ୍ୟକାନ୍ତ ଦାସ ଅତ୍ୟନ୍ତ ସୁଚାରୁରୂପେ ପରିଚାଳନା କରିଥିଲେ।

SOURCE: ODIA PUA