Source :- ODIA PUA
ଭଦ୍ରକ, ୧୪ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପବିତ୍ର ମହାବିଷୁବ ସଂକ୍ରାନ୍ତି ଓ ହନୁମାନ ଜୟନ୍ତୀ ଏବଂ ଓଡିଆ ନବବର୍ଷ ଅବସରରେ ସମଗ୍ର ଧାମନଗର ଅଂଚଳ ଉତ୍ସବ ମୁଖର ହୋଇଉଠୀଛି। ଏହି ଅବସରରେ ବିଭିନ୍ନ ଅନୁଷ୍ଠାନ,ସଂଗଠନ ଓ ରାଜନୈତିକ ଦଳ ତରଫରୁ ଦେବାଦେବୀଙ୍କ ପୀଠରେ ପୂଜା,ହୋମ,ଯଜ୍ଞାଦି କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହୋଇଥିଲା। ବିଶେଷକରି ହନୁମାନ ମନ୍ଦିର ମାନଙ୍କରେ ପ୍ରଭୁ ଶ୍ରୀ ହନୁମାନଙ୍କ ପୂଜାର୍ଚ୍ଚନା କରାଯିବା ସହିତ ପବିତ୍ର ହନୁମାନ ଚାଳିଶା ପାଠ କରାଯାଇଥିଲା। ପଣା ସଂକ୍ରାନ୍ତି ଅବସରରେ ଓଡିଆଙ୍କ ଘରେ ଘରେ ବେଲପଣାର ବ୍ୟବସ୍ଥା କରାଯାଇଥିବା ବେଳେ ସମସ୍ତ ଦେବାଦେବୀ ଓ ଶିବ ମନ୍ଦିରରେ ପୂଜାର୍ଚ୍ଚନା ସହିତ ଭକ୍ତ ଓ ଶ୍ରଦ୍ଧାଳୁ ମାନଙ୍କ ପାଇଁ ପଂକ୍ତିଭୋଜନର ଆୟୋଜନ କରାଯାଇଥିଲା। ସେହିପରି ଧାମନଗର ସହରାଞ୍ଚଳରେ ବୈଶାଖ ମାସର ପ୍ରଥମ ଦିନ ଓ ପବିତ୍ର ମହାବିଷୁବ ସଂକ୍ରାନ୍ତି ଉପଲକ୍ଷେ କାଉଡ଼ିଆ ସେବାସଂଘ୍ ଧାମନଗର ତରଫରୁ ପଥଚାରୀ ମାନଙ୍କୁ ବେଲପଣା,ଥଣ୍ଡାପାଣି ଓ ସରବତ ବଂଟନ କରାଯାଇଛି। ଏଥିରେ ଧାମନଗର ବିଧାୟକ ତଥା ମନ୍ତ୍ରୀଙ୍କ ନଗର ପ୍ରତିନିଧି କୈଳାସ ଚନ୍ଦ୍ର ମହାପାତ୍ର,ପ୍ରଧାନ ଶିକ୍ଷକ ସୁରେନ୍ଦ୍ର କୁମାର ସେଠୀ,ମନୋଜ ସିଂହ,ବିଜେପି ନେତା ପ୍ରହଲ୍ଲାଦ ମହାପାତ୍ର,ସଞ୍ଜୟ କୁମାର ସ୍ୱାଇଁ ବଳରାମ ମହାପାତ୍ର ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଧାମନଗର ବ୍ଲକର ବିଭିନ୍ନ ପଂଚାୟତସ୍ତରରେ ସରପଂଚଙ୍କ ତତ୍ୱାବଧାନରେ ଜଳଛତ୍ର ବଂଟନ ବ୍ୟବସ୍ଥା କରାଯାଇଥିବା ବେଳେ ଏନ ଏ ସି ତରଫରୁ ମଧ୍ୟ ପଥଚାରି ମାନଙ୍କୁ ଜଳଛତ୍ର ବଂଟନ କରାଯାଉଛି ବୋଲି ସୂଚନା ମିଳିଛି।
SOURCE: ODIA PUA



