Source :- ODIA PUA
ଭଦ୍ରକ, ୧୩ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- ଆଜି ସିବିଏସି ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପାଇଛି । ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ଓଡିଶା ଆଦର୍ଶ ବିଦ୍ୟାଳୟ ପଳାଶ ଗଢିଆର ଦଶମ ଶ୍ରେଣୀର ଛାତ୍ର କାବ୍ୟ ରଞ୍ଜନ ମାଝୀ ସଫଳତା ଲାଭ କରିଛନ୍ତି । ସେ ମୋଟ୍ ୫ ଶହରୁ ୪୯୭ ଅର୍ଥାତ୍ ୯୯.୪ ପ୍ରତିଶତ ନମ୍ବର ରଖି ରାଜ୍ୟ ତଥା ଭଦ୍ରକ ଜିଲ୍ଲାର ଗୌରବ ବୃଦ୍ଧି କରିଛନ୍ତି । କାବ୍ୟ ରଞ୍ଜନ ପିତା ରବିନ୍ଦ୍ର ମୋହନ ମାଝୀ ଓ ମାତା ଶୁଭଶ୍ରୀ ମାଝୀଙ୍କ ପୁତ୍ର ହୋଇଥିବା ବେଳେ ତାଙ୍କ ଘର ଏହି ବ୍ଲକ୍ ଅଡାଳପଙ୍କ ସ୍ଥିତ ବେଲଗଢିଆ ଅଟେ । ଦୈନିକ ନିଜର ପାଠପଢାକୁ ସାରିବା ପରେ ଅନ୍ୟ କାର୍ଯ୍ୟ କରିଥାନ୍ତି । ଏହି ସଫଳତାର ଶ୍ରେୟ ସେ ପିତାମାତା ଏବଂ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଦେଇଛନ୍ତି । ସମାଜକୁ ବଦଳାଇ ଦେଶର ସେବା କରିବା ପାଇଁ ଭବିଷ୍ୟତରେ ସେ ଆଇଏସ୍ ଅଫିସର ହେବାର ଲକ୍ଷ୍ୟ ରଖିଛନ୍ତି । ଅନ୍ୟ ପକ୍ଷରେ ଏହି ବିଦ୍ୟାଳୟର ଦଶମ ଶ୍ରେଣୀରେ ମୋଟ୍ ୭୬ ଜଣ ପରୀକ୍ଷା ଦେଇଥିବା ବେଳେ ଶତ ପ୍ରତିଶତ ଫଳ ହୋଇଛି । କାବ୍ୟରଞ୍ଜନଙ୍କ ସମେତ ଏହି ବିଦ୍ୟାଳୟର ଛାତ୍ରୀ ଲକ୍ଷ୍ମୀପ୍ରିୟା ବେହେରା ୯୬.୪ ପ୍ରତିଶତ ରଖି ଦ୍ୱୀତିୟ ସ୍ଥାନ ଏବଂ ସ୍ୱାତୀ ସ୍ୱୟଂନ୍ତୀକା ସୁଅର ୯୬.୨ ପ୍ରତିଶତ ରଖି ତୃତୀୟ ସ୍ଥାନରେ ଅଛନ୍ତି । ପାଂଚ ଜଣ ଛାତ୍ରଛାତ୍ରୀ ୯୫ ପ୍ରତିଶତରୁ ଅଧିକ ନମ୍ବର ରଖିଥିବା ବେଳେ ୧୫ ଜଣ ୯୦ ପ୍ରତିଶତରୁ ଅଧିକ ଏ-ୱାନ୍ ରେ ଉତିର୍ଣ୍ଣ ହୋଇଛନ୍ତି । ସେହିପରି ଦ୍ୱାଦଶ ଶ୍ରେଣୀର ମୋଟ୍ ୪୦ ଜଣ ଛାତ୍ରଛାତ୍ରୀ ସଫଳତାର ସହ ଉତିର୍ଣ୍ଣ ହୋଇଛନ୍ତି । ଆଜି ବିଦ୍ୟାଳୟ ପରିସରରେ ସମସ୍ତ କୃତୀ ଛାତ୍ରଛାତ୍ରୀଙ୍କୁ ଅଧ୍ୟକ୍ଷ ପାର୍ଥସୁନ୍ଦର ମହାକୁଡଙ୍କ ସମେତ ଅନ୍ୟ ସହକର୍ମୀ ମାନେ ଶୁଭେଚ୍ଛା ଜଣାଇଥିଲେ ।
SOURCE: ODIA PUA