Source :- ODIA PUA
ଭଦ୍ରକ, ୧୧ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମନଗର ବ୍ଲକ ଅଧୀନ ଚୁଡ଼ାକୁଟି ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ୯ମ ବାର୍ଷିକ ଉତ୍ସବ ଶନିବାର ଭବ୍ୟ ଭାବେ ଅନୁଷ୍ଠିତ ହୋଇଯାଇଛି। ଶିକ୍ଷା ସହ ସଂସ୍କାର ଗଢ଼ି ତୋଳିବାକୁ ଲକ୍ଷ୍ୟ କରି ଅନୁଷ୍ଠିତ ଏହି ଉତ୍ସବ ଅଂଚଳରେ ଶିକ୍ଷାମୂଳକ ପରିବେଶକୁ ଆହୁରି ସୁଦୃଢ଼ କରିଛି। ବିଦ୍ୟାଳୟର ପ୍ରତିଷ୍ଠାତା ବିବେକାନନ୍ଦ ପଣ୍ଡାଙ୍କ ସଭାପତିତ୍ୱରେ ଆୟୋଜିତ ସଭାକୁ ସାମ୍ବାଦିକ ନରେନ୍ଦ୍ର ସାମଲ ସୁଚାରୁ ଭାବେ ସଂଚାଳନା କରିଥିଲେ। ମୁଖ୍ୟ ଅତିଥି ଭାବେ ଭଦ୍ରକ ଜିଲ୍ଲାପାଳ ଦିଲ୍ଲୀପ ରାଉତରାଏ ଯୋଗଦେଇ ଶିକ୍ଷା ହେଉଛି ଜୀବନ ଗଢ଼ିବାର ମୂଳ ଆଧାର ବୋଲି କହିଥିଲେ। ସେ କହିଥିଲେ, ପ୍ରାଥମିକ ଶିକ୍ଷାରୁ ଶିଶୁମାନଙ୍କ ମନରେ ନୈତିକତା, ଶିଷ୍ଟାଚାର ଓ ଦେଶପ୍ରେମର ଚାରା ରୋପଣ କରିବା ଅତ୍ୟାବଶ୍ୟକ। ମୁଖ୍ୟ ବକ୍ତା ପ୍ରବଚକ ସଂଗ୍ରାମ ଆଚାର୍ଯ୍ୟ ନିଜ ଉଦ୍ୱୋଧନରେ କହିଥିଲେ ଯେ, ବର୍ତମାନ ଯୁଗରେ ଶିକ୍ଷା କେବଳ ପାଠ୍ୟପୁସ୍ତକରେ ସୀମିତ ନ ରହି, ଚରିତ୍ର ଗଢ଼ିବାରେ ମୁଖ୍ୟ ଭୂମିକା ନେବା ଦରକାର। ସମ୍ମାନିତ ଅତିଥି ଭାବେ ଏଡିଓ ପ୍ରଫୁଲ୍ଲ କୁମାର ସାହୁ, ମନ୍ତ୍ରୀଙ୍କ ପ୍ରତିନିଧି ଅଶୋକ ପୁହାଣ ଓ ଓଡ଼ିଶା ଶିକ୍ଷାବିକାଶ ପରିଷଦର ସୁଦର୍ଶନ ପରିଡା ପ୍ରମୁଖ ଶିକ୍ଷାର ଗୁରୁତ୍ୱ ଉପରେ ଅଲୋକପାତ କରିଥିଲେ। ଉତ୍ସବର ମୁଖ୍ୟ ଆକର୍ଷଣ ଥିଲା ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ପ୍ରଦର୍ଶିତ ସାହିତ୍ୟିକ ଓ ସାଂସ୍କୃତିକ କାର୍ୟକ୍ରମ, ଯାହା ଦର୍ଶକମାନଙ୍କୁ ମୋହିତ କରିଥିଲା। କ୍ରୀଡ଼ା ଓ ଶିକ୍ଷାକ୍ଷେତ୍ରରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ଅତିଥିମାନେ ପୁରସ୍କୃତ କରି ତାଙ୍କୁ ଆଗକୁ ବଢ଼ିବା ପାଇଁ ପ୍ରେରିତ କରିଥିଲେ। ସ୍କୁଲ କମିଟି ସଭାପତି ଜୟନ୍ତ ସାହୁଙ୍କ ନେତୃତ୍ୱରେ ମାମିନା ରାଣୀ ପାଲ, ଗୋପୀନାଥ ସାମଲ, ପ୍ରମିଳା ବେହେରା, ଲକ୍ଷ୍ମୀପ୍ରିୟା ମହାକୁଡ଼, ପ୍ରିୟଙ୍କା ସାହୁ, ସରିତା ନାୟକ ଓ ଗୁରୁଜୀ ସଞ୍ଜୟ ସେଠୀ ପ୍ରମୁଖ ଉତ୍ସବକୁ ସଫଳ କରିବାରେ ସହଯୋଗ କରିଥିଲେ। ଏହି ଅବସରରେ ସ୍ଥାନୀୟ ସାମ୍ବାଦିକମାନଙ୍କୁ ସମ୍ମାନିତ କରାଯାଇଥିବା ବେଳେ, ଶିକ୍ଷା ଓ ସମାଜ ସେବାରେ ତାଙ୍କର ଅବଦାନକୁ ସ୍ୱୀକାର କରାଯାଇଥିଲା। ଏହି ବାର୍ଷିକ ଉତ୍ସବ କେବଳ ଏକ ଆନନ୍ଦ ଅବସର ନୁହେଁ, ବରଂ ଶିଶୁମାନଙ୍କ ମନରେ ଶିକ୍ଷା, ଶୃଙ୍ଖଳା ଓ ସଂସ୍କୃତିର ମୂଲ୍ୟବୋଧକୁ ଦୃଢ଼ କରିବାରେ ଏକ ସୁଯୋଗ ସୃଷ୍ଟି କରିଛି।
SOURCE: ODIA PUA



