Source :- ODIA PUA
ଭଦ୍ରକ, ୧୬ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଭଣ୍ଡାରିପୋଖରୀ ବ୍ଲକ ଅନ୍ତର୍ଗତ ନେରଡା ପଂଚାୟତର ଯଶୋଟିକିରି ଗ୍ରାମର ଅଧିଷ୍ଠାତ୍ରୀ ଗ୍ରାମ ଦେବତୀ ମା’ ବୁଢୀ ଜାଗୁଳାଇଙ୍କ ବାର୍ଷିକ ଉତ୍ସବ ଅବସରରେ ଆୟୋଜିତ ପ୍ରସାଦ ସେବନ କାର୍ଯ୍ୟକ୍ରମ ଭକ୍ତିଭାବ ଓ ଆନନ୍ଦମୟ ପରିବେଶରେ ସଫଳତାର ସହ ଅନୁଷ୍ଠିତ ହୋଇଥିଲା। ଏହି ପବିତ୍ର ଅବସରରେ ବିଜୁ ଜନତା ଦଳର ରାଜ୍ୟ ବରିଷ୍ଠ ଉପ-ସଭାପତି ତଥା ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ଉପସ୍ଥିତ ରହି ମା’ଙ୍କ ଆଶୀର୍ବାଦ ଗ୍ରହଣ କରିଥିଲେ। ତାଙ୍କ ସହିତ ଭଣ୍ଡାରିପୋଖରୀ ବ୍ଲକ ୨୨ ନମ୍ବର ଜୋନ ଜିଲ୍ଲା ପରିଷଦ ସଦସ୍ୟ ବଦ୍ରିନାରାୟଣ ରାଉତ, ବରିଷ୍ଠ ନେତୃତ୍ୱ ଦେବେନ୍ଦ୍ର ଦାସ (କୁଶ ନନା), ଯୁବନେତା ବିକାଶ ଶ୍ରେଷ୍ଠା ଓ କାମେଶ ବାରିକଙ୍କ ସହ ଅନେକ ମାନ୍ୟଗଣ୍ୟ ବ୍ୟକ୍ତିତ୍ୱ ଏବଂ ଶ୍ରଦ୍ଧାଳୁ ଭକ୍ତବୃନ୍ଦ ଉପସ୍ଥିତ ରହି ଏହି ପବିତ୍ର କାର୍ଯ୍ୟକ୍ରମକୁ ଅଧିକ ଗରିମାମୟ କରିଥିଲେ। ଏହି ଅବସରରେ ପୂର୍ବତନ ମନ୍ତ୍ରୀ ଶ୍ରୀ ସାମଲ ନିଜ ବକ୍ତବ୍ୟରେ କହିଥିଲେ ଯେ, ଏପରି ଧାର୍ମିକ ଓ ସାମାଜିକ ଉତ୍ସବ ଗ୍ରାମ୍ୟ ସମାଜର ଏକତା, ଭାଇଚାରା ଓ ସାମ୍ପ୍ରଦାୟିକ ସମ୍ପ୍ରୀତିକୁ ଆହୁରି ଦୃଢ଼ କରେ। ମା’ ବୁଢୀ ଜାଗୁଳାଇଙ୍କ କୃପା ସମସ୍ତଙ୍କ ଉପରେ ରହୁ ଓ ଗ୍ରାମର ସୁଖ-ଶାନ୍ତି ଓ ସମୃଦ୍ଧି ଅବିରତ ରହୁ ବୋଲି ସେ ମା’ଙ୍କ ନିକଟରେ ପ୍ରାର୍ଥନା କରିଥିଲେ।
SOURCE: ODIA PUA



