Source :- ODIA PUA
ଭଦ୍ରକ, ୬ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆସନ୍ତା ଗ୍ରୀଷ୍ମ ଋତୁରେ ସମ୍ଭାବ୍ୟ ଅଂଶୁଘାତ ପରିସ୍ଥିତିକୁ ମୁକାବିଲା କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ଜିଲ୍ଲାସ୍ତରୀୟ ପ୍ରସ୍ତୁତି ବୈଠକ ଜିଲ୍ଲା ପରିଷଦ ସଭାଗୃହରେ ଆୟୋଜିତ ହୋଇଯାଇଛି। ବୈଠକରେ ଜିଲ୍ଲାପାଳ ଦିଲୀପ ରାଉତରାଏଙ୍କ ଅଧ୍ୟକ୍ଷତାରେ ଅଂଶୁଘାତ ସମୟରେ ଲୋକମାନଙ୍କ ସୁରକ୍ଷା ଓ ସଚେତନତା ସମ୍ପର୍କରେ ବିଭିନ୍ନ ବିଭାଗକୁ ଆବଶ୍ୟକ ନିର୍ଦ୍ଦେଶ ଦିଆଯାଇଥିଲା। ବୈଠକରେ ପାନୀୟ ଜଳ ସୁବିଧା ବୃଦ୍ଧି, ସହର ଓ ଗ୍ରାମାଂଚଳରେ ଶିତଳ ପାଣି ଘର (ୱାଟର କିଓସ୍କ) ସ୍ଥାପନ, ଚିକିତ୍ସାଳୟଗୁଡିକରେ ଅଂଶୁଘାତ ଚିକିତ୍ସା ପାଇଁ ବିଶେଷ ୱାର୍ଡ ବ୍ୟବସ୍ଥା ଓ ଆବଶ୍ୟକ ଔଷଧ ମହଜୁଦ ରଖିବା ତଥା ଅଙ୍ଗନୱାଡ଼ି କର୍ମୀ, ଆଶା କର୍ମୀ ଓ ସ୍ୱାସ୍ଥ୍ୟ କର୍ମଚାରୀମାନଙ୍କ ମାଧ୍ୟମରେ ଗ୍ରାମସ୍ତରରେ ସଚେତନତା ସୃଷ୍ଟି କରିବାକୁ ଜିଲ୍ଲାପାଳ ନିର୍ଦେଶ ଦେଇଥିଲେ । ଏହି ପ୍ରସ୍ତୁତି ବୈଠକରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ରବି ନାରାୟଣ ସାହୁ , ମୁଖ୍ୟ ଉନ୍ନୟନ ଅଧିକାରୀ ଶୁଭେନ୍ଦ୍ର ସାମଲ , ଉପ ଜିଲ୍ଲାପାଳ ସୌରଭ ଚକ୍ରବର୍ତୀ ,ଡେପୁଟି କଲେକ୍ଟର ଜ୍ଞାନ ରଞ୍ଜନ ସାହୁ ଉପସ୍ଥିତ ରହି ବିଭିନ୍ନ ବିଭାଗର ଅଧିକାରୀମାନଙ୍କୁ ଅଂଶୁଘାତ ଜନିତ ପରିସ୍ଥିତିକୁ ସଫଳତାର ସହ ମୁକାବିଲା କରିବାକୁ ନିର୍ଦେଶ ଦେଇଥିଲେ ।
SOURCE: ODIA PUA



