Home national news oriya ଭଦ୍ରକର ବିଭିନ୍ନ ସ୍ଥାନରେ ମହାଶିବରାତ୍ରୀ ପାଳିତ

ଭଦ୍ରକର ବିଭିନ୍ନ ସ୍ଥାନରେ ମହାଶିବରାତ୍ରୀ ପାଳିତ

7
0

Source :- ODIA PUA

ଭଦ୍ରକ, ୧୫ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ପବିତ୍ର ଶିବରାତ୍ରି ଜିଲାବ୍ୟାପି ବହୁ ଶୈବପୀଠମାନଙ୍କରେ ଭକ୍ତି ଓ ଉତ୍ସାହର ସହ ମହାସମାରୋହରେ ପାଳିତ ହୋଇଯାଇଛି । ବିଶେଷକରି ଓଡ଼ିଶାର ପ୍ରସିଦ୍ଧ ଶୈବ ପୀଠ ଆରଡ଼ିର ବାବା ଆଖଣ୍ଡଳମଣି ସମେତ ଭଦ୍ରକ ସହରର ବାବା ଲୋକନାଥ, ରାନ୍ଦିଆର ରାମେଶ୍ୱର, ରାଜଘାଟର ରାଜରାଜେଶ୍ୱର, କୁଆଁସର କୁମାରେଶ୍ୱର, ଭଦ୍ରକ ମୁଖ୍ୟ ଡାକଘର ନିକଟ ନୀଳଲୋହିତ ମହାଦେବ, ଚାନ୍ଦବାଲି ବାଇପାସ୍ ସ୍ଥିତ ମହାଦେବ, ବାଗୁରାଇ ଶିବମନ୍ଦିର, ପାତ୍ରସାହିର ପାତ୍ରେଶ୍ୱରାୟ, ଦେବଭୂମୀ ଗବସାହି ଶିବ ମନ୍ଦିର, ସାତଭଉଣୀ ସ୍ଥିତ ମହାଦେବ ମନ୍ଦିର, ପଳିକିରି ସ୍ଥିତ ପଶ୍ଚିମେଶ୍ୱର, ବ୍ରାହ୍ମଣୀଗାଁ ସ୍ଥିତ ବୁଢ଼ାମହାଦେବ, ଗେଲପୁରର ବାବା ଗେଲେଶ୍ୱର, ନଳାଙ୍ଗ ସ୍ଥିତ ନଳେଶ୍ୱର, ଅଣ୍ଢିଆ ସ୍ଥିତ ମହାଦେବ ମନ୍ଦିରମାନଙ୍କରେ ଏହି ଉତ୍ସବକୁ ହଜାର ହଜାର ଭକ୍ତ ପୂଜା ନୈବେଦ୍ୟ ପ୍ରଦାନପୂର୍ବକ ପାଳନ କରିଛନ୍ତି । ଏହି ଉପଲକ୍ଷେ ମନ୍ଦିରଗୁଡ଼ିକୁ ବିଭିନ୍ନ ତୋରଣ ଓ ରଙ୍ଗବେରଙ୍ଗୀ ଆଲୋକମାଳାରେ ସଜ୍ଜିତ କରାଯାଇଥିବାବେଳେ ଲୋକସମାଗମ ଦୃଷ୍ଟିକୋଣରୁ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରତିଷେଧକମୂଳକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ସହରର ବାବା ଲୋକନାଥଙ୍କଠାରେ ଆଜି ସର୍ବାଧିକ ଭକ୍ତଙ୍କର ଭିଡ଼ ପରିଲକ୍ଷିତ ହୋଇଛି । ପ୍ରାତଃରେ ପୂଜକମାନଙ୍କ ପକ୍ଷରୁ ଠାକୁରଙ୍କର ସମସ୍ତ ନୀତି ଆରମ୍ଭ ହୋଇ ସଂଧ୍ୟାରେ ସଂଧ୍ୟାଆଳତୀ ସହ ବହୁ ଭକ୍ତଙ୍କୁ ଜାଗରଦୀପ ଜାଳି ଉପବାସରେ ବସିଥିବାର ଦେଖାଯାଇଥିଲା । ଚଳିତ ବର୍ଷ ବାବା ଲୋକନାଥଙ୍କ ବଡ଼ସିଂହାର ବେଶ ବହୁ ଜାକଜମକରେ ପାଳିତ ହୋଇଛି। ଏଠାରେ ମନ୍ଦିର ସେବା ଦାୟିତ୍ୱରେ ଥିବା ବିଜୟ କୁମାର ପାଣି, ଅଜୟ କୁମାର ପାଣି, ସଂଜୟ କୁମାର ପାଣି, ତ୍ରିନାଥ କର, ଗୌରାଙ୍ଗ କର, ହିମାଂଶୁ ଶେଖର ପାଣିଙ୍କ ପରିଚାଳନାରେ ପୂଜାର୍ଚ୍ଚନା ସଂପନ୍ନ ହୋଇଥିବାବେଳେ ଭୋର ୪.୪୧ରେ ମହାଦୀପ ଉଠୁଥିବାରୁ ଅନେକ ସ୍ଥାନରେ ରାତ୍ରିତମାମ ଭଜନ ସମାରୋହମାନ ଅନୁଷ୍ଠିତ ହେଉଥିବାର ଦେଖାଯାଇଛି । ଅନୁରୂପ ଭଦ୍ରକ ବ୍ଲକ୍ କଲୋନୀସ୍ଥିତ ଶ୍ରୀ ଭବାନୀ-ଶଙ୍କର ମନ୍ଦିରର ୧୧ତମ ବାର୍ଷିକୀ ଉତ୍ସବ ଉପଲକ୍ଷେ ଭୋଳା ଶଙ୍କରଙ୍କର ଜାଗର ଯାତ୍ରା ବେଶ୍ ଆନନ୍ଦ ଉଲ୍ଲାସରେ ପାଳିତ ହୋଇଛି। ଏଥି ଉପଲକ୍ଷେ ଭୈରବ କୁଣ୍ଡ ବାବା ଦେବ ପଣ୍ଡା ଓ ବସନ୍ତ ଆଚାର୍ଯ୍ୟଙ୍କ ତତ୍ୱାବଧାନରେ ଦୁଇଦିନ ଧରି ଯଜ୍ଞ ଅନୁଷ୍ଠିତ ହେଉଛି। ଏଠାରେ ଆଜି ଭୋର୍‌ରୁ ମହାଦ୍ୱୀପ ଉଠିବାର ଆୟୋଜନ କରାଯାଇଥିବାବେଳେ ସ୍ଥାନୀୟ ଭଜନ ମଣ୍ଡଳୀଙ୍କ ଦ୍ୱାରା ଭଜନ ସନ୍ଧ୍ୟା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏହି କାର୍ଯ୍ୟକ୍ରମକୁ ପ୍ରଦୀପ୍ତ ବାଗ, ଦେବବ୍ରତ ମଲ୍ଲିକ, ଅଜୟ ନାୟକ, ବସନ୍ତ ସାହାଣୀ ଓ ଗଦାଧର ମହାପାତ୍ର ପରିଚାଳନା କରିଛନ୍ତି। ଭକ୍ତମାନଙ୍କ ଭିଡକୁ ଲକ୍ଷ୍ୟକରି ସହରରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି।

SOURCE: ODIA PUA