Home national news oriya ସହରାଂଚଳରେ ଶିଶୁ ଓ ଗର୍ଭବତୀ ମହିଳାଙ୍କ ଟୀକାକରଣ ବ୍ୟବସ୍ଥା ଏକମାସ ଧରି ଠପ୍

ସହରାଂଚଳରେ ଶିଶୁ ଓ ଗର୍ଭବତୀ ମହିଳାଙ୍କ ଟୀକାକରଣ ବ୍ୟବସ୍ଥା ଏକମାସ ଧରି ଠପ୍

5
0

Source :- ODIA PUA

D-1665

ଭଦ୍ରକ, ୨୪ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପ୍ରଶାସନିକ ଉଦାସୀନତା ଓ ଅବହେଳା କାରଣରୁ ଜିଲା ମୁଖ୍ୟ ଚିକିତ୍ସାଳୟଟି ଏବେ ଏତେ ପ୍ରକାର ସ୍ୱୟଂଶାସିତ ହୋଇପଡିଛି। ମୁଖ୍ୟ ଚିକିତ୍ସାଧିକାରୀ ଆଉ ମାସ ପରେ ଅବସର ନେବାକୁ ଥିବାରୁ ହସ୍‌ପିଟାଲର ପ୍ରଶାସନିକ ଅବ୍ୟବସ୍ଥା ସଂପୂର୍ଣ୍ଣ ଭୁଷୁଡି ପଡିଛି। ଡାକ୍ତର ଠାରୁ ଆରମ୍ଭ କରି କର୍ମଚାରୀମାନଙ୍କ ସ୍ୱେଚ୍ଛାଚାରିତା ବଢିଚାଲିଛି। ଡାକ୍ତରମାନେ ଡାକ୍ତରଖାନାରେ ଡ୍ୟୁଟି ଅପେକ୍ଷା ନିଜର ଓ ବେସରକାରୀ ଘରୋଇ ନର୍ସିଂହୋମ୍‌ମାନଙ୍କରେ ସମୟ ବିତାଇ ପଇସା ରୋଜଗାର କରିଚାଲିଛନ୍ତି। ରୋଗୀ ସେବାରେ ଏକ ପ୍ରକାର ଅଚଳାବସ୍ଥା ସୃଷ୍ଟି ହୋଇଛି। ଏବେ ପାଖାପାଖି ଏକମାସ ଧରି ସହରାଂଚଳରେ ଥିବା ୧୫ଟି ସବସେଂଟରରେ ଶିଶୁ ଓ ଗର୍ଭବତୀ ମହିଳାଙ୍କ ଟୀକାକରଣ ବ୍ୟବସ୍ଥା ସଂପୂର୍ଣ୍ଣ ଠପ୍ ହୋଇପଡିଛି। ୧୧୦ ଏଏନ୍‌ଏମ୍ (ମହିଳା ସ୍ୱାସ୍ଥ୍ୟକର୍ମୀ)ଙ୍କ ପଦୋନ୍ନତି ପରେ ଏଭଳି ପରିସ୍ଥିତି ଉପୁଜିଛି। ସୂଚନାଯୋଗ୍ୟ ଜିଲା ସ୍ୱାସ୍ଥ୍ୟ ବିଭାଗରୁ ୧୧୦ ଜଣ ଏଏନ୍‌ଏମଙ୍କୁ ପଦୋନ୍ନତି ଦିଆଯାଇଥିଲା। ପଦୋନ୍ନତି ପାଇବା ପରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସେମାନଙ୍କୁ ବିଭିନ୍ନ ସବସେଂଟରମାନଙ୍କରେ ନିଯୁକ୍ତି ଦିଆଯାଇଥିଲା। ଭଦ୍ରକ ସହରାଂଚଳରେ ଥିବା ୧୫ଟି ସବସେଂଟରରେ ଏଏନ୍‌ଏମ୍ ଗୁଡିକ ପଦୋନ୍ନତି ପଦବୀ। ପଦୋନ୍ନତି ପୂର୍ବରୁ ଏଠାରେ କନିଷ୍ଠ ଏଏନ୍‌ଏମ୍ ମାନେ କାର୍ଯ୍ୟ କରୁଥିଲେ। ଏବେ ପଦୋନ୍ନତି ପାଇଥିବା ଏଏନ୍‌ଏମ୍ ମାନଙ୍କୁ ଏହି ୧୫ଟି ସବସେଂଟରମାନଙ୍କରେ କାର୍ଯ୍ୟରେ ଯୋଗ ଦେବା ପାଇଁ ମୁଖ୍ୟ ଚିକିତ୍ସାଧିକାରୀ ଗତ ତା ୩୦.୦୩.୨୫ ରିଖରେ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ମୁଖ୍ୟ ଚିକିତ୍ସାଧିକାରୀଙ୍କ ଏହି ନିର୍ଦ୍ଦେଶ କାଗଜ କଲମରେ ସୀମିତ ରହିଲା। ସହରାଂଚଳରେ ଥିବା ୧୫ଟି ସବସେଂଟରରେ ଆଜି ସୁଦ୍ଧା ମାତ୍ର ୪ ଜଣ ପଦୋନ୍ନତି ପାଇଥିବା ଏଏନ୍‌ଏମ୍ କାର୍ଯ୍ୟରେ ଯୋଗ ଦେଇଛନ୍ତି। ଅବଶିଷ୍ଟ ୧୧ଟି ସବସେଂଟରରେ ଏଏନ୍‌ଏମ୍ ପଦବୀ ଫାଙ୍କା ପଡିଛି। ମୁଖ୍ୟ ଚିକିତ୍ସାଧିକାରୀଙ୍କ ଅର୍ଡରକୁ ବେଖାତିର କରି କାର୍ଯ୍ୟରେ ଯୋଗ ଦେଉନାହାଁନ୍ତି। ଚରମ୍ପା ଅଂଚଳରେ ଥିବା ତେଲଙ୍ଗାପଟି, ବରାଳପୋଖରୀ, ବାଗୁରାଇ, ହଳଦିଡିହ, ଇସଫପୁର, ଉତରବାହିନୀ, ବିଦ୍ୟାଧରାଡି, ଛଡାକମହଲା, କାଜିସାହି, ଧନାଟୋଲା ସବସେଂଟର ଗୁଡିକରେ ଟୀକାକରଣ ବ୍ୟବସ୍ଥା ଏକମାସ ଧରି ସଂପୂର୍ଣ୍ଣ ବନ୍ଦ ରହିଛି। ଫଳରେ ନବଜାତ ଶିଶୁ ଓ ଗର୍ଭବତୀ ମହିଳା ଟୀକାକରଣରୁ ବଂଚିତ ହୋଇ ରହିଛନ୍ତି। ସେହିପରି ବରିଷ୍ଠ ନାଗରିକଙ୍କ ସ୍ୱାସ୍ଥ୍ୟ ମଧ୍ୟ ଚେକ୍‌ଅପ୍ ବନ୍ଦ ରହିଛି। ସହରାଂଚଳର ସବସେଂଟରମାନଙ୍କରେ ଟୀକାକରଣ ବନ୍ଦ ହେବା ପରେ ମୁଖ୍ୟ ଚିକିତ୍ସାଧିକାରୀ ପୂର୍ବରୁ କାର୍ଯ୍ୟରତ ଏଏନଏମ ମାନଙ୍କୁ ପୁନଶ୍ଚ ଫେରାଇ ଆଣିବା ପାଇଁ ବରପଦା ଓ ତିହିଡି ମେଡିକାଲ ଅଫିସର (ସୁପରିଟେଣ୍ଡେଂଟ) ଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ତେବେ ଏହି ଦୁଇ ମେଡିକାଲ ଅଫିସର ସିଡିଏମ୍‌ଙ୍କ ଚିଠିକୁ ବେଖାତିର କରି ଚାଲିବା ଫଳରେ ସହରାଂଚଳରେ ଥିବା ସବସେଂଟର ଗୁଡିକରେ ଏଏନ୍‌ଏମ୍ ପଦବୀ ଆଜି ସୁଦ୍ଧା ଫାଙ୍କା ପଡିଛି।

SOURCE: ODIA PUA