Home national news oriya ଯୋଜନା ଅଭାବରୁ ବରବାଦ ହେଲା ଲକ୍ଷ ଲକ୍ଷ ଟଙ୍କା; ପ୍ରଶ୍ନଘେରରେ ପ୍ରଶାସନ

ଯୋଜନା ଅଭାବରୁ ବରବାଦ ହେଲା ଲକ୍ଷ ଲକ୍ଷ ଟଙ୍କା; ପ୍ରଶ୍ନଘେରରେ ପ୍ରଶାସନ

7
0

Source :- ODIA PUA

ଭଦ୍ରକ, ୧୬ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମନଗର ମହାବିଦ୍ୟାଳୟ ପରିସରରେ ନିର୍ମାଣାଧୀନ ପ୍ରମୋଦ ଉଦ୍ୟାନର ପାଚେରୀ ଭାଙ୍ଗି ଦିଆଯିବାକୁ ନେଇ ପ୍ରଶ୍ନ ଉଠିଛି। ପ୍ରାୟ ୧୦ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇ ପାଚେରୀ ନିର୍ମାଣ ହେବା ପରେ କାମଟି ବନ୍ଦ ହୋଇଯିବା ଏବଂ ବର୍ତମାନ କଲେଜର ନବକଳେବର ନାଁରେ ସେହି ପୁରୁଣା ପ୍ରକଳ୍ପର ପାଚେରୀକୁ ଭାଙ୍ଗି ଦିଆଯିବାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଜନସାଧାରଣଙ୍କ ଟଙ୍କା କିଭଳି ଅଯଥାରେ ପାଣିରେ ପଡ଼ୁଛି, ଏହା ତାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛି। ୨୦୨୧ ଅକ୍ଟୋବର ୪ ତାରିଖରେ ତତ୍କାଳୀନ ଧାମନଗର ବ୍ଲକ ଅଧ୍ୟକ୍ଷ ଅଶୋକ ନାୟକଙ୍କ ଦ୍ୱାରା ଏହି ପ୍ରମୋଦ ଉଦ୍ୟାନ ପାଇଁ ଶୁଭ ଦିଆଯାଇଥିଲା। ମୁସ୍ତଫାପୁର ପଂଚାୟତ ଅଧୀନରେ ଥିବା ଏହି ପ୍ରକଳ୍ପ ଆରମ୍ଭରୁ ହିଁ ମନ୍ଥର ଗତିରେ ଚାଲିଥିଲା। ୨୦୨୨ ପଂଚାୟତ ନିର୍ବାଚନ ପରେ ନୂଆ ସରପଂଚ ନିର୍ବାଚିତ ହେବା ପରେ କାମରେ ସାମାନ୍ୟ ଗତି ଆସିଥିଲା। ମହାତ୍ମା ଗାନ୍ଧି ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ଅଧୀନରେ ଏହି ପାର୍କର ଭିତିଭୂମି କାର୍ଯ୍ୟ ହେବାର ନିୟମ ରହିଥିଲା। ସେହି ଅନୁସାରେ ମୁସ୍ତଫାପୁର ପଂଚାୟତ ପକ୍ଷରୁ ପ୍ରାୟ ୧୦ ଲକ୍ଷ ଟଙ୍କା ବ୍ୟୟ କରାଯାଇ ମାଟି ପକାଯିବା ସହ ଚାରିପଟେ ଇଟା ଓ ସିମେଂଟରେ ପାଚେରୀ ନିର୍ମାଣ କରାଯାଇଥିଲା। କିନ୍ତୁ ପାଚେରୀ ନିର୍ମାଣ ପରେ ପ୍ରକଳ୍ପଟି ସେହିଠାରେ ଅଟକି ଯାଇଥିଲା। ପରେ ଏହି ଅଧାଗଢ଼ା ପାର୍କଟି ଅସାମାଜିକ ବ୍ୟକ୍ତି ଓ ମଦୁଆଙ୍କ ଆଡ୍ଡାସ୍ଥଳୀରେ ପରିଣତ ହୋଇଥିଲା। ବର୍ତମାନ ଧାମନଗର ମହାବିଦ୍ୟାଳୟର ଭିତିଭୂମି ବିକାଶ ପାଇଁ ସରକାରଙ୍କ ପକ୍ଷରୁ ପ୍ରାୟ ୨୦ କୋଟି ଟଙ୍କା ବ୍ୟୟ କରାଯାଉଛି। ନୂତନ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ କଲେଜ ପରିସରରୁ ପୁରୁଣା ଗଛଗୁଡ଼ିକୁ କାଟି ଦିଆଯିବା ସହ ପୂର୍ବରୁ ୧୦ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ପାର୍କ ପାଚେରୀକୁ ମଧ୍ୟ ଭାଙ୍ଗି ଦିଆଯାଇଛି। ଏହାକୁ ନେଇ ସାଧାରଣ ଲୋକେ ଏବେ ପ୍ରଶ୍ନ କରୁଛନ୍ତି ଯେ, ଯଦି ପାର୍କଟି ସମ୍ପୂର୍ଣ୍ଣ କରିବାକୁ ଅର୍ଥ ନଥିଲା, ତେବେ ପାଚେରୀ ନିର୍ମାଣ କରି ୧୦ ଲକ୍ଷ ଟଙ୍କା କାହିଁକି ବରବାଦ କରାଗଲା । ବିନା କୌଣସି ଦୂରଦର୍ଶିତା କିମ୍ବା ଯୋଜନାରେ କଲେଜ ପରିସରରେ ଏଭଳି ପ୍ରକଳ୍ପ କାହିଁକି ହାତକୁ ନିଆଯାଇଥିଲା। ସରକାରୀ ଅର୍ଥର ଏଭଳି ଅପବ୍ୟୟ ପାଇଁ ଦାୟୀ କିଏ। ଏହି ଘଟଣାକୁ ନେଇ ଅଂଚଳବାସୀଙ୍କ ମଧ୍ୟରେ ଗଭୀର ଅସନ୍ତୋଷ ଦେଖାଦେଇଥିବା ବେଳେ ଉଚ୍ଚସ୍ତରୀୟ ତଦନ୍ତ ପାଇଁ ଦାବି ହେଉଛି।

SOURCE: ODIA PUA