Home national news oriya ପିସି-ପିଏନଡିପି ଆକ୍ଟ ସଂପର୍କିତ ଜିଲାସ୍ତରୀୟ ବୈଠକ, ଲିଙ୍ଗ ନିରୂପଣ ରୋକିବା ଦିଗରେ ଜିଲାପାଳଙ୍କ ତାଗିଦ

ପିସି-ପିଏନଡିପି ଆକ୍ଟ ସଂପର୍କିତ ଜିଲାସ୍ତରୀୟ ବୈଠକ, ଲିଙ୍ଗ ନିରୂପଣ ରୋକିବା ଦିଗରେ ଜିଲାପାଳଙ୍କ ତାଗିଦ

16
0

Source :- ODIA PUA

ଭଦ୍ରକ, ୧୮ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜିଲାରେ ହଜାର ପୁଅ ଜନ୍ମ ହେଉଥିବାବେଳେ ୮୯୭ ଝିଅ ଜନ୍ମ ହେଉଥିବା ତଥ୍ୟକୁ ନେଇ ଜିଲାପାଳ ଉଦ୍‌ବେଗ ପ୍ରକାଶ କରିଛନ୍ତି। ଜିଲାପାଳଙ୍କ ସଦ୍‌ଭାବନା ଗୃହରେ ପିସି-ପିଏନଡିପି ଆକ୍ଟ ସଂପର୍କିତ ଜିଲା ପରାମର୍ଶଦାତା କମିଟି ବୈଠକରେ ଜିଲାପାଳ ଦିଲ୍ଲୀପ ରାଉତରାଏ ଅଧ୍ୟକ୍ଷତା କରି ଲିଙ୍ଗ ନିରୂପଣକୁ କଡାକଡି ଭାବେ ରୋକିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଲିଙ୍ଗ ନିରୂପଣ ରୋକିବା ଦିଗରେ କ୍ଲିନିକ୍ ଗୁଡିକରେ ଅଚାନକ ଯାଂଚ କାର୍ଯ୍ୟ ନିୟମିତ ଭାବେ ଜାରି ରଖିବାକୁ ମଧ୍ୟ ପରାମର୍ଶ ଦେଇଥିଲେ। କେବଳ ସେତିକି ନୁହେଁ କୌଣସି ମେଡିସିନ୍ ଦୋକାନରେ ଯେଭଳି ଗର୍ଭପାତ ଔଷଧ ବିକ୍ରି ନହୁଏ, ସେ ସଂପର୍କରେ ମଧ୍ୟ କଡା ନଜର ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଜିଲାରେ କାର୍ଯ୍ୟକ୍ଷମ ଥିବା ପଂଜିକୃତ ଅଲଟ୍ରାସାଉଣ୍ଡ କ୍ଲିନିକ୍ ଗୁଡିକର ସମୀକ୍ଷା କରାଯାଇଥିଲା। ଜିଲାରେ ଥିବା ୨୨ଟି ଅଲଟ୍ରାସାଉଣ୍ଡ ମଧ୍ୟରୁ ୬ଟି ବନ୍ଦ ହୋଇଯାଇଛି। ଏହାବ୍ୟତୀତ ନୂତନ କ୍ଲିନିକ୍ ପଂଜିକରଣ ଓ ନବୀକରଣ ପାଇଁ ଆବେଦନ ହୋଇଥିବା ଦରଖାସ୍ତ ଗୁଡିକ ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିଲା। ଅନୁଷ୍ଠିତ ଏହି ବୈଠକରେ ଜିଲାରେ ୨ଟି ସରକାରୀ ଓ ୨ଟି ବେସରକାରୀ ହସ୍‌ପିଟାଲ ଓ କ୍ଲିନିକ୍ ଗୁଡିକୁ ନବୀକରଣ କରାଯିବା ପାଇଁ ଅନୁମୋଦନ କରାଯାଇଥିଲା। ଏଗୁଡିକ ହେଲା ସରକାରୀ ଭେଟେନାରୀ ହସ୍‌ପିଟାଲରେ ଅଲଟ୍ରାସାଉଣ୍ଡ ଓ ବାସୁଦେବପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର। ସେହିପରି ଲାଇଭ୍‌ୱେଲ୍ ଡାଇଗ୍ନୋଷ୍ଟିକ ସେଂଟଣ ଓ ଫର୍ଟିଲିଟି ସେଂଟର ଆଇଭିଏଫ ୨ଟି ବେସରକାରୀ କିନ୍ଲିକ୍‌କୁ ରିନୱାଲ ପାଇଁ ବୈଠକରେ ସ୍ୱୀକୃତି ପ୍ରଦାନ କରାଯାଇଥିଲା। ଅନୁଷ୍ଠିତ ଏହି ବୈଠକରେ ସିଡିଏମ୍‌ଓ ପ୍ରମୋଦ କୁମାର ପ୍ରହରାଜ, ଏଡିପିଏଚ୍‌ଓ (ଏଫଡବ୍ଲ୍ୟୁ) କନକଲତା ସାହୁ, ପ୍ରଶାସନିକ ଅଧିକାରୀ ଅନୁପ କୁମାର ବେହେରା, ସ୍ତ୍ରୀ ରୋଗ ବିଶେଷଜ୍ଞ ସୌଦାମିନୀ ଧଳ, ଶିଶୁ ବିଭାଗ ବିଶେଷଜ୍ଞ ସୁଧାକୃଷ୍ଣ ସାହୁ, ପିପି ମିନି ଟପ୍ପୋ, ଏନଏଚଏମ୍ ର ଆସିଷ୍ଟାଂଟ ମ୍ୟାନେଜର (ଏଲଏଆଇଏସ) ସୁଶାନ୍ତ କୁମାର ରାଉତରାୟଙ୍କ ସମେତ ଆସିୟାନା ଓ ଅନ୍ୟ ଏକ ସ୍ୱେଚ୍ଛାସେବୀ ସଂଗଠନର ପ୍ରମୁଖ ଯୋଗ ଦେଇଥିଲେ।

SOURCE: ODIA PUA