Home national news oriya ଧାମନଗର ଜଳସେଚନ ବିଭାଗରେ ଖୋଲାଖୋଲି ଲୁଟ, ୬୭ ଲକ୍ଷର ଜଳାଞ୍ଜଳି ,ବନ୍ୟାଂଚଳ ଲୋକଙ୍କ ଜୀବନ ସହ...

ଧାମନଗର ଜଳସେଚନ ବିଭାଗରେ ଖୋଲାଖୋଲି ଲୁଟ, ୬୭ ଲକ୍ଷର ଜଳାଞ୍ଜଳି ,ବନ୍ୟାଂଚଳ ଲୋକଙ୍କ ଜୀବନ ସହ ଖେଳୁଛନ୍ତି ଅଧିକାରୀ ଓ ଠିକାଦାର, ସୂଚନା ଫଳକ ନଲଗେଇ ହେଉଛି ନିମ୍ନମାନର କାମ

18
0

Source :- ODIA PUA

ଭଦ୍ରକ, ୨୨ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ସରକାର ବନ୍ୟା ନିୟନ୍ତ୍ରଣ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ଧାମନଗର ଜଳସେଚନ ବିଭାଗରେ ଏହି ଅର୍ଥ ଏବେ ଠିକାଦାର ଓ ଯନ୍ତ୍ରୀଙ୍କ ପକେଟକୁ ଯାଉଛି। ଧୁଶୁରି ଗାନ୍ଧୀଘାଟ ସେକ୍ସନ ଅନ୍ତର୍ଗତ ଭଟ୍ଟସାହି ପଂଚାୟତର ନରହରିପୁର ନିକଟସ୍ଥ କଣ୍ଡିଆ ରାଇଟି ରେ ଚାଲିଥିବା ନଦୀବନ୍ଧ ସୁରକ୍ଷା ପାଚେରି ନିର୍ମାଣରେ ଚରମ ଅନିୟମିତତା ଦେଖାଦେଇଛି। ପ୍ରାୟ ୬୭ ଲକ୍ଷ ଟଙ୍କାର ଏହି ପ୍ରକଳ୍ପ ଆରମ୍ଭରୁ ହିଁ ଦୁର୍ନୀତିର ପାହାଡ଼ ଉପରେ ଠିଆ ହୋଇଥିବା ଅଭିଯୋଗ ହୋଇଛି।ସରକାରୀ ନିୟମ ଅନୁଯାୟୀ କୌଣସି ବି କାମ ଆରମ୍ଭ ପୂର୍ବରୁ ସେଠାରେ ଏକ ସୂଚନାଫଳକ ଲଗାଯିବା ବାଧ୍ୟତାମୂଳକ। ମାତ୍ର ଏଠାରେ ସବୁ ଓଲଟା। ଲୋକେ ଯେମିତି କାମର ବ୍ୟୟ ଅଟକଳ ଓ ମାନ ବିଷୟରେ ଜାଣି ନପାରିବେ, ସେଥିପାଇଁ ଚଂଚକତା କରି କୌଣସି ଫଳକ ଲଗାଯାଇ ନାହିଁ। ଏହି ଘଟଣାରେ ଯେତେବେଳେ କନିଷ୍ଠ ଯନ୍ତ୍ରୀଙ୍କୁ ପଚରାଗଲା, ସେ ଅତ୍ୟନ୍ତ ବେପରୁଆ ଭାବେ କହିଛନ୍ତି ଯେ, “କାମ ଗତ ବର୍ଷର, ସୂଚନା ଫଳକ ଲେଖା ଯାଇନି, ଏବେ ଲେଖି ଦେବୁ।” ଏଥିରୁ ସ୍ପଷ୍ଟ ଜଣାପଡୁଛି ଯେ ବିଭାଗୀୟ ଅଧିକାରୀ ଓ ଠିକାଦାରଙ୍କ ମଧ୍ୟରେ କିଭଳି ଗଭୀର ମଧୁଚନ୍ଦ୍ରିକା ରହିଛି।କଣ୍ଡିଆ ରାଇଟି ବନ୍ଧ ସମ୍ପ୍ରସାରଣ ଓ ପାଚେରି ନିର୍ମାଣରେ ବ୍ୟବହୃତ ହେଉଥିବା ସାମଗ୍ରୀ ଅତି ନିମ୍ନମାନର। ପାଚେରିର ଲମ୍ବ, ପ୍ରସ୍ଥ ଏବଂ ଉଚ୍ଚତାରେ ବ୍ୟାପକ ହେରଫେର କରାଯାଇଛି। ଡିଜାଇନ୍ ଅନୁଯାୟୀ କାମ ନକରି କେବଳ ଅର୍ଥ ହରିଲୁଟ୍ କରିବା ଉଦ୍ଦେଶ୍ୟରେ କାମ ଶେଷ କରିବାକୁ ପ୍ରୟାସ କରାଯାଉଛି । ଧାମନଗର ଜଳସମ୍ପଦ ବିଭାଗରେ ଏସ.ଡି.ଓ ପଦବୀ ଖାଲି ଥିବା ବେଳେ ଏହାର ସୁଯୋଗ ନେଇ କନିଷ୍ଠ ଯନ୍ତ୍ରୀ ଓ ଠିକାଦାର ମନଇଚ୍ଛା କାମ କରୁଛନ୍ତି। କୌଣସି ବରିଷ୍ଠ ଅଧିକାରୀଙ୍କ ତଦାରଖ ନଥିବାରୁ ଦୁର୍ନୀତି ର ସୀମା ଟପିଛି।ସ୍ଥାନୀୟ ବାସିନ୍ଦା ଯେତେବେଳେ ନିଜ ଜୀବନ ଓ ସମ୍ପତିର ସୁରକ୍ଷା ପାଇଁ ଏହି ନିମ୍ନମାନର କାମକୁ ବିରୋଧ କରୁଛନ୍ତି, ସେତେବେଳେ ସେମାନଙ୍କୁ ଦାଦା ଗିରି ର ସାମ୍ନା କରିବାକୁ ପଡୁଛି। ଠିକାଦାର ଓ ଯନ୍ତ୍ରୀ ମିଳିତ ଭାବେ ଗ୍ରାମବାସୀଙ୍କୁ ନାଲି ଆଖି ଦେଖାଇବା ସହ ପୋଲିସ କେସ କରିବାର ଭୟ ଦେଖାଉଛନ୍ତି। ଜନସାଧାରଣଙ୍କ ସ୍ୱରକୁ ଚାପି ଦେଇ ସରକାରୀ ଟଙ୍କାକୁ ହଡ଼ପ କରିବାର ଏହା ଏକ ସୁଚିନ୍ତିତ ଯୋଜନା ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି।ବନ୍ୟା ପ୍ରପୀଡ଼ିତ ଏହି ଅଂଚଳରେ ଯଦି ନିର୍ମାଣାଧୀନ ପାଚେରି ଆସନ୍ତା ବର୍ଷାରେ ଭୁଶୁଡ଼ିଯାଏ, ତେବେ ହଜାର ହଜାର ଲୋକଙ୍କ ଜୀବନ ବିପନ୍ନ ହେବ। ଏହି ଘଟଣାକୁ ନେଇ ରାଜ୍ୟ ସରକାର, ଜଳସମ୍ପଦ ମନ୍ତ୍ରୀ ଏବଂ ଜିଲ୍ଲା ପ୍ରଶାସନ ତୁରନ୍ତ ହସ୍ତକ୍ଷେପ କରିବା ଜରୁରୀ। କାମକୁ ସାମୟିକ ଭାବେ ବନ୍ଦ କରି ଏହାର ମାନ ଯାଂଚ କରାଯିବା ସହ ଦୋଷୀ ଯନ୍ତ୍ରୀ ଓ ଠିକାଦାରଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଧାମନଗର ବ୍ଲକ କଂଗ୍ରେସ ସଭାପତି ରମେଶ ବେହେରା ଦାବି କରିଛନ୍ତି।

SOURCE: ODIA PUA