Source :- ODISHARE REPORTER NEWS
କଶ୍ମୀରରେ ଆତଙ୍କବାଦର ଇତିହାସ ଭାଗ ୪ରେ ଆମେ ୧୯୮୯ ମସିହା ଡିସେମ୍ବର ମାସରେ ରୁବିୟା ସୟିଦଙ୍କ ଅପହରଣ ଘଟଣା କେମିତି ଉପତ୍ୟକାକୁ ଅଶାନ୍ତି ମଧ୍ୟକୁ ଠେଲି ଦେଇଥିଲା, ତା’ ଉପରେ ଆଲୋଚନା କରିବା। ଅପହଣ ଘଟଣାକୁ ନେଇ ହଜାର ହଜାର ଲୋକ ରାସ୍ତାକୁ ଓହ୍ଲାଇଥିଲେ ଓ ସରକାର କେମିତି ମୁଣ୍ଡ ନୁଆଁଇବାକୁ ବାଧ୍ୟ ହୋଇଥିଲେ, ସେ ବିଷୟରେ ଜାଣିବା।
ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଫତି ମହମ୍ମଦ ସୟିଦ ଉପତ୍ୟକା ରାଜନୀତିରେ ଜଣେ ବିରଳ ରାଜନେତା ଭାବେ ପରିଚିତ। ଏକଦା ସେ ଓକିଲ ଥିଲେ। ରାଜନେତା ହେବା ପରେ ମଧ୍ୟ ତାଙ୍କ ଚାଳି ଚଳନ ଓକିଲଙ୍କ ଭଳି ରହିଥିଲା। ନିଜର ଲମ୍ବା ରାଜନୀତିକ କ୍ୟାରିୟରରେ ସେ ଅନେକ କିଛି ସଫଳତା ହାସଲ କରିଛନ୍ତି। କିନ୍ତୁ ଉଚ୍ଚ ମହତ୍ତ୍ୱକାଂକ୍ଷା ଓ ବଦଳୁଥିବା ନିଷ୍ଠା ଯୋଗୁ ଅନେକ ସଫଳତା ପ୍ରଶଂସା ସାଉଁଠିବାରେ ବିଫଳ ବି ହୋଇଥିଲା।
<!–
- 17 March 2022
–>
ଏକଦା ସେ ଜଣେ ନ୍ୟାଶନାଲ କନଫରେନ୍ସର ନେତା ଭାବେ ପରିଚୟ ହାସଲ କରିଥିଲେ। କିନ୍ତୁ ସମୟକ୍ରମେ ସେ ଦଳବଦଳ କରିଥିଲେ। ଶେଷରେ କଂଗ୍ରେସରେ ସାମିଲ ହୋଇଥିଲେ। ତାଙ୍କର ଦଳବଦଳ ନୀତି ଅନେକ ବିବାଦ ସୃଷ୍ଟି କରିଥିଲା। ହେଲେ ଜଣେ ଶିହା ମୌଳବୀଙ୍କ ପୁଅ ମୁଫତି ମହମ୍ମଦ ସୟିଦ ନୀତି ଅପେକ୍ଷା ନିଜ ଉଚ୍ଚ ମହତ୍ତ୍ୱକାଂକ୍ଷାକୁ ଅଧିକ ପସନ୍ଦ କରୁଥିଲେ। ୧୯୭୮ ମସିହାରେ ସେ କଂଗ୍ରେସରେ ରହିଥିଲେ ହେଁ କଶ୍ମୀରରେ କିଙ୍ଗ ମେକର ହେବାକୁ ବିରୋଧୀ ମୁସଲିମ ୟୁନାଇଟେଡ ଫ୍ରଣ୍ଟକୁ ସମର୍ଥନ କରିଥିଲେ। ଏହାପରେ ସୁଯୋଗକୁ ହାତ ଛଡ଼ା ନ କରି ସେ ଭିପି ସିଂହଙ୍କ ନେତୃତ୍ୱାଧୀନ ଜନ ମୋର୍ଚ୍ଚାରେ ଯୋଗ ଦେଇଥିଲେ। ୧୯୮୯ ମସିହା ଲୋକସଭା ନିର୍ବାଚନ ପୂର୍ବରୁ ସେ ଏପରି ପଦକ୍ଷେପ ନେବାରୁ ଅନେକ ଘଟଣା ଘଟିବା ଆରମ୍ଭ ହୋଇଥିଲା। ଫଳ ସ୍ୱରୂପ ଭାରତ ମୁଣ୍ଡା ନୁଆଁଇବାକୁ ବାଧ୍ୟ ହୋଇଥିଲା।

ଅନନ୍ତନାଗର ବିଜବେହାରାର ମୂଳ ବାସିନ୍ଦା ସୟିଦ କଂଗ୍ରେସ ଛାଡ଼ିବା ପଛରେ ୧୯୮୭ ମସିହା ଉତ୍ତର ପ୍ରଦେଶର ମୀରଟ ଦଙ୍ଗାକୁ କାରଣ ଭାବେ ଦର୍ଶାଇଥିଲେ। କିନ୍ତୁ ଏହା ଏକ ରଣନୀତିଗତ ଇସ୍ତଫା ଥିଲା। ସେ ମିରୀଟକୁ ଲାଗିଥିବା ମୁଜାଫରନଗର ଲୋକସଭା ଆସନରୁ ୧୯୮୯ ମସିହା ନିର୍ବାଚନ ଲଢ଼ିବାକୁ ଚାହୁଁଥିଲେ। ୧୯୮୯ରେ ଭିପି ସିଂହ ଯେତେବେଳେ ପ୍ରଧାନମନ୍ତ୍ରୀ ହୋଇଥିଲେ ସେତେବେଳେ ସେ ସମସ୍ତଙ୍କୁ ଚକିତ କରି ମୁଜାଫରପୁରରୁ ଜିତିଥିବା ମୁଫତି ମହମ୍ମଦ ସୟିଦଙ୍କୁ ଦେଶର ଗୃହମନ୍ତ୍ରୀ ଭାବେ ନିଯୁକ୍ତ କରିଥିଲେ। ସ୍ୱାଧୀନ ଭାରତରେ ସୟିଦ ପ୍ରଥମ ମୁସଲିମ ଭାବେ ସ୍ୱରାଷ୍ଟ୍ର ମନ୍ତ୍ରୀ ହେବାର ରେକର୍ଡ କରିଥିଲେ।

ମହିଳା ଗାଏବ ହୋଇଯାଇଥିଲେ
ନୂଆଦିଲ୍ଲୀରେ ନୂଆ ସରକାର ଶପଥ ନେଉଥିବା ବେଳେ କଶ୍ମୀରରେ ପ୍ରବଳ ହିଂସା ଲାଗି ରହିଥାଏ। ୧୯୮୯ ମସିହା ଡିସେମ୍ବର ପ୍ରଥମ ସପ୍ତାହରେ କଶ୍ମୀରରେ ହିଂସା ଚରମସୀମାରେ ପହଞ୍ଚିଥିଲେ। କ୍ରମାଗତ ଟାର୍ଗେଟ କିଲିଂ ନ୍ୟାଶନାଲ କନଫରେନ୍ସର କର୍ମୀ, ସରକାରୀ କର୍ମଚାରୀ ଓ କଶ୍ମରୀ ପଣ୍ଡିତଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି କରିଥିଲା। ଜମ୍ମୁ କଶ୍ମୀର ମୁକ୍ତି ବାହିନୀ ନେତୃତ୍ୱରେ ଏକାଧିକ ଆତଙ୍କବାଦୀ ସଂଗଠନ ଶ୍ରୀନଗରର ରାସ୍ତାରେ ହମଲା କରି ଚାଲିଥିଲେ।

ଡିସେମ୍ବର ୮ ତାରିଖରେ ଭାରତର ସ୍ୱରାଷ୍ଟ ମନ୍ତ୍ରୀ ସୟିଦଙ୍କ ତୃତୀୟ କନ୍ୟା ରୁବିୟା ସୟିଦ ବସ୍ ଯୋଗ ନିଜ ଘର ନାଓଁଗାମକୁ ଫେରୁଥିଲେ। ସେ ଲାଲ ଦେଦ ମେଡିକାଲ କଲେଜରୁ ଘରକୁ ଆସିବା ପାଇଁ ଗୋଟିଏ ମିନି ବସ୍ରେ ଚଢ଼ିଥିଲେ। ସେ ବସ୍ରେ ଚଢ଼ିବା କ୍ଷଣି ତାଙ୍କ ପଛରେ ଜମ୍ମୁ-କଶ୍ମୀର ମୁକ୍ତି ସେନାର ୫ ଜଣ ଆତଙ୍କବାଦୀ ମଧ୍ୟ ବସରେ ପ୍ରବେଶ କରିଥିଲେ। ସେମାନେ ବସକୁ ଅପହରଣ କରିବା ସହ ପାମ୍ପୋର ସ୍ଥିତ ନଟିପୁରାକୁ ନେଇ ଯାଇଥିଲେ।
ସେଠାରେ ସେମାନେ ରୁବିୟାଙ୍କୁ ଓହ୍ଲାଇବାକୁ କହିଥିଲେ। ସେ ଓହ୍ଲାଇବା କ୍ଷଣି ଗୋଟିଏ ବ୍ଲ୍ୟୁ ମାରୁତି କାରରେ ତାଙ୍କୁ ସେଠାରୁ ଅନ୍ୟତ୍ର ନେଇ ଯାଇଥିଲେ। ତାଙ୍କ ପାଖରେ ଜେକେଏଲଏଫର କମାଣ୍ଡର ଇନ ଚିଫ ୟାସିନ ମଲିକ ଓ ଅଶଫାକ ମାଜିଦ ୱାନି ବସିଥିଲେ। ସୋପରରେ ଥିବା ଜଣେ ଶିଳ୍ପପତିଙ୍କ ଘରେ ରୁବିୟାଙ୍କୁ ପଣବନ୍ଦୀ କରି ରଖାଯାଇଥିଲା।

ରୁବିୟାଙ୍କୁ ସୁରକ୍ଷିତ ଉଦ୍ଧାର କରିବା ପାଇଁ ନ୍ୟାଶନାଲ ସିକ୍ୟୁରିଟି ଗାର୍ଡର ମୁଖ୍ୟ ବେଦ ମାରୱାଙ୍କୁ କୁହାଯାଇଥିଲା। ନିଜ ବହି ‘ଅନ ସିଭିଲ ୱାରସ: ପାଥୋଲୋଜି ଅଫ ଟେରୋରିଜିମ ଇନ ଇଣ୍ଡିଆ’ରେ ମାରୱା କହିଛନ୍ତି-“ସ୍ୱରାଷ୍ଟ୍ର ମନ୍ତ୍ରୀଙ୍କ ଝିଅ ରୁବିୟାଙ୍କ ପାଇଁ କୌଣସି ସୁରକ୍ଷା ବ୍ୟବସ୍ଥା କରାଯାଇ ନଥିଲା। ଅପହରଣକାରୀମାନେ ସ୍ଥାନୀୟ ଖବରକାଗଜ ଅଫିସକୁ ଫୋନ କରି ରୁବିୟାଙ୍କ ରିଲିଜ ପାଇଁ ନିଜ ଦାବି ଜଣାଇ ଚାଲିଥିଲେ। ସେମାନେ ଖବରକାଗଜ ଅଫିସକୁ ଯୋଗାଯୋଗ କରୁଥିବାରୁ ଅପହରଣ ସମ୍ପର୍କରେ କାହାକୁ, ଏପରି କି ପରିବାର ଲୋକଙ୍କ ପାଖରେ କୌଣସି ଖବର ନଥିଲା। ପୂର୍ବରୁ ଏମିତି ଘଟଣା ରାଜ୍ୟରେ କେବେ ଘଟି ନଥିଲା ଓ ସମସ୍ତେ ଖବର ଜାଣି ପୂରା ସ୍ତବ୍ଧ ହୋଇଯାଇଥିଲେ।”
ଜମ୍ମୁ-କଶ୍ମୀରର ପୂର୍ବତନ ରାଜ୍ୟପାଳ ଜଗମୋହନ ତାଙ୍କ ସ୍ମୃତି My Frozen Turbulence in Kashmirରେ କେମିତି ଅଶାନ୍ତିର ମାହୋଲ ସୃଷ୍ଟି ହୋଇଥିଲା, ସେକଥା କହିଛନ୍ତି। ଜଗମୋହନ କହିଛନ୍ତି, “୫ ଦିନ ଧରି ଭୟର ବାଦଲ ଦେଶ ଉପରେ ଢାଙ୍କି ହୋଇ ରହିଥିଲା। ରାଜ୍ୟ ଓ କେନ୍ଦ୍ର ସରକାର କେବଳ ଅନ୍ଧାର ଭିତରେ ପେଶି ହୋଇ ଚାଲିଥିଲେ। ଅପହରଣ ଘଟଣାକୁ ପ୍ରାୟ ୨୦ଟି ମୁସଲିମ ସଂଗଠନ ନିନ୍ଦା କରିଥିଲେ। ପାକିସ୍ତାନର କିଛି ନେତା ମଧ୍ୟ ଅପହରଣକୁ ଅଣ ଇସଲାମିକ କହି ରୁବିୟାଙ୍କୁ ତୁରନ୍ତ ରିଲିଜ କରିବାକୁ ପ୍ରସ୍ତାବ ଦେଇଥିଲେ। ହେଲେ ସମସ୍ତଙ୍କର ସବୁ ଉଦ୍ୟମ ଆତଙ୍କବାଦୀଙ୍କ ଉପରେ କୌଣସି ପ୍ରଭାବ ପକାଇ ନଥିଲା।”

ଡିସେମ୍ବର ୧୨ ତାରିଖରେ ଜେକେଏଲଏଫ ପକ୍ଷରୁ ରୁବିୟାଙ୍କୁ ହତ୍ୟା କରାଯିବ ବୋଲି ଧମକ ଦିଆଯାଇଥିଲା। ଏଥିରେ ଡରି ଯାଇ ସରକାର ଆତଙ୍କବାଦୀଙ୍କ ଦାବିକୁ ମାନି ନେଇଥିଲେ। କିଛି ଘଣ୍ଟା ପରେ ୫ କୁଖ୍ୟା ଆତଙ୍କବାଦୀଙ୍କୁ ଛାଡ଼ି ଦିଆଯାଇଥିଲା। ରୁବିୟା ସୟିଦ ମଧ୍ୟ ସୁରକ୍ଷିତ ଭାବେ ଘରକୁ ଫେରିଥିଲେ। ଦିଲ୍ଲୀରୁ ସ୍ୱରାଷ୍ଟ୍ର ମନ୍ତ୍ରୀ ସୟିଦ ମଧ୍ୟ ନଜ ଘରକୁ ଫେରିଥିଲେ।
ମାରୱା ତାଙ୍କ ବହିରେ ଲେଖିଛନ୍ତି, “ଆତଙ୍କବାଦୀମାନେ ପୂରା ସହରକୁ କବଜା କରି ସାରିଥିଲେ। ଏଥିରେ କୌଣସି ସନ୍ଦେହ ନଥିଲା। ସେମାନେ ଭାରତ ସରକାରଙ୍କୁ ମୁଣ୍ତ ନୁଆଁଇବାକୁ ବାଧ୍ୟ କରିଥିଲେ। କେହି ବି ସେମାନଙ୍କ ବିଜୟ ଉତ୍ସବକୁ ଅଟକାଇବାକୁ ନଥିଲେ। ସେମାନେ ନିଜ ଇଚ୍ଛାରେ ସବୁ କରି ଚାଲିଥିଲେ।”

ଖୁସିର ସହର
୧୯୮୯ ମସିହା ଡିସେମ୍ବର ୧୩ରେ ଶ୍ରୀନଗରର ବିଭିନ୍ନ ରାସ୍ତା ଖୁସିରେ ଝୁମି ଉଠିଥିଲା। ରଜୌରୀ କଦାଲରେ ହଜାର ହଜାର ଯୁବକ ରାସ୍ତାକୁ ଓହ୍ଲାଇ ଭାରତ ବିରୋଧୀ ସ୍ଲୋଗାନ ଦେଇଥିଲା। ଆଜାଦୀ ନାରା ପୂରା ଶ୍ରୀନଗରରେ ପ୍ରକମ୍ପିତ ହୋଇଥିଲା। ଜେଲରୁ ରିଲିଜ ହୋଇଥିବା ଆତଙ୍କବାଦୀମାନଙ୍କୁ ବିରାଟ ଶୋଭାଯାତ୍ରାରେ ହିରୋ ଭଳି ସ୍ୱାଗତ କରାଯାଇଥିଲା। ସେମାନେ ସେଠାରୁ ହଠାତ୍ ଅନ୍ତର୍ଧାନ ହୋଇ ଯାଇଥିଲେ। ସମ୍ଭବତଃ ପାକିସ୍ତାନ ଦଖଲରେ ଥିବା କଶ୍ମରୀକୁ ଚାଲି ଯାଇଥିଲେ। ଉତ୍ସାହ ଓ ଅବଜ୍ଞାରେ ଭରା ସେହି ମୁହୂର୍ତ୍ତ ଅପହରଣକୁ ଗୋଟିଏ ନିର୍ଣ୍ଣାୟକ ମୋଡ଼ ବନାଇ ଦେଇଥିଲା। ଏହି ଘଟଣା ହିଁ କଶ୍ମୀରରେ ଆତଙ୍କବାଦ ବୃଦ୍ଧି କରିବାରେ ସହାୟକ ହୋଇଥିଲା।

ଭୟଙ୍କର ହିଂସାର ଆରମ୍ଭ
ଜେକେଏଲଏଫ ନିକଟରେ ଭାରତ ସରକାରଙ୍କ ଆତ୍ମସମର୍ପଣ କଶ୍ମୀର ଇତିହାସରେ ଐତିହାସିକ ମୁହୂର୍ତ୍ତ ଭାବେ ବିବେଚିତ ହୋଇ ଆସୁଛି। ଏହି ଘଟଣାର ପରବର୍ତ୍ତୀ ଦୁଇ ବର୍ଷ କଶ୍ମୀର ରକ୍ତପାତ, ହିଂସା ଓ ଅଶାନ୍ତିର ମୁଖସାଖୀ ପାଲଟିଥିଲା। ଆତଙ୍କୀ ସଂଗଠନ ଓ ବିଚ୍ଛିନ୍ନତାବାଦୀ ନେତା ରାସ୍ତାକୁ ନିଜ ନିୟନ୍ତ୍ରଣକୁ ନେବା ସହ ଅରାଜକତା ଆଡ଼କୁ କଶ୍ମୀରକୁ ନେଇ ଯାଇଥିଲେ। ଅପହରଣ ଓ ହତ୍ୟା ଦୈନନ୍ଦିନ ଘଟଣାରେ ପରିଣତ ହୋଇଥିଲା।
ସରକାର ଏହାକୁ ରୋକିବା ପାଇଁ ବଡ଼ଧରଣର ସର୍ଚ୍ଚ ଓ କର୍ଡନ ଅପରେସନ, ସାମୂହିକ ଜେଲ ଦଣ୍ଡ ଓ କଠୋର କାର୍ଯ୍ୟାନୁଷ୍ଠାନ ନେଇଥିଲେ। ହେଲେ ଏହା ମାନବାଧିକାର ଉଲ୍ଲଙ୍ଘନ ଅଭିଯୋଗକୁ ଜନ୍ମ ଦେଇଥିଲା। ଭୟଙ୍କର ରକ୍ତପାତ ଓ ସାଂପ୍ରଦାୟିକ ହିଂସାରେ ଫସି ରହିବା ପରେ କଶ୍ମୀର ପଣ୍ଡିତମାନେ ଉପତ୍ୟକା ଛାଡ଼ିବା ଆରମ୍ଭ କରିଥିଲେ। ଅନେକ ଆତଙ୍କୀ ତାଲିମ କେନ୍ଦ୍ର ପାକିସ୍ତାନରେ ଗଢ଼ି ଉଠିଥିଲା। ୧୯୯୦ରେ ଯେତେବେଳେ ଆତଙ୍କବାଦ ଚରମସୀମାରେ ଥିଲା ସେତେବେଳେ ପ୍ରାୟ ୧୦ ହଜାର କଶ୍ମିରୀ ଯୁବକ ପାକିସ୍ତାନ ଯାଇ ଆଇଏସଆଇ ଠାରୁ ତାଲିମ ନେଇଥିଲେ।

ନିରୀହଙ୍କୁ ହତ୍ୟା
କଶ୍ମରରେ ନିରୀହଙ୍କ ରକ୍ତ ଝରି ଚାଲିଥାଏ। ୧୯୯୦ ମସିହା ଏପ୍ରିଲ ୬ରେ କଶ୍ମୀର ବିଶ୍ୱବିଦ୍ୟାଳୟର କୁଳପତି ଡ ମୁଶିର ଉଲ ହକ ଓ ତାଙ୍କ ବ୍ୟକ୍ତିଗତ ସଚିବ ଅବଦୁଲ ଘନି ଜାରଗରଙ୍କୁ ଜମ୍ମୁ-କଶ୍ମୀର ଷ୍ଟୁଡେଣ୍ଟସ ଲିବେରସନ ଫ୍ରଣ୍ଟ ପକ୍ଷରୁ ଅପହରଣ କରାଯାଇଥିଲା। ୪ ଦିନ ପରେ ସେମାନଙ୍କୁ ଏକେ ୪୭ରୁ ଗୁଳି କରି ହତ୍ୟା କରାଯାଇଥିଲା। ଏସବୁ ଅପରେସନ ପଛରେ ରହସ୍ୟଜନକ ଭାବେ ହୋଇଥିଲା ଓ ଏଥିରେ ଆଇଏସଆଇର ହାତ ଥିବା ଜଗମୋହନ କହିଛନ୍ତି।


ଏପ୍ରିଲ ୧୧ରେ ରାଜ୍ୟ ଭିତ୍ତିକ ଇଲେକ୍ଟ୍ରୋନିକ୍ସ ଫ୍ୟାକ୍ଟ୍ରି ଏଚଏମଟିର ଜେନେରାଲ ମ୍ୟାନେଜରଙ୍କ ଗୁଳିବିଦ୍ଧ ମୃତଦେହ ଶ୍ରୀନଗରର ଅଗ୍ନିଶମ କେନ୍ଦ୍ର ସାମ୍ନାରୁ ମିଳିଥିଲା। ତାଙ୍କୁ ଜେକେଏଲଏଫ ପକ୍ଷରୁ ଅପହରଣ କରାଯାଇ ୩ ଜଣ ଆତଙ୍କବାଦୀଙ୍କୁ ରିଲିଜ କରିବା ପାଇଁ ସରକାରଙ୍କ ଆଗରେ ଦାବି ଉପସ୍ଥାପନ କରାଯାଇଥିଲା। ସରକାର ଏହି ଦାବିକୁ ନ ମାନିବାରୁ ସେମାନେ ଖେରାଙ୍କୁ ହତ୍ୟା କରିଥିଲେ।
୧୯୯୦ର ଭୟଙ୍କର ସ୍ଥିତି ପୂରା ଉପତ୍ୟକାକୁ ଦୋହଲାଇ ଦେଇଥିଲା
ହିଂସାର ଲମ୍ବା ଛାଇ ସହ ବିଂଶ ଶତାବ୍ଦୀର ଆରମ୍ଭ ହୋଇଥିଲା। ସମସ୍ତେ ଭଲ ଭାବେ ଜାଣିଥିଲେ ଯେ ନୂଆ ଶତାବ୍ଦୀରେ ମଧ୍ୟ ୯୦ ଦଶକର ହିଂସା ଉପତ୍ୟକାକୁ ପ୍ରଭାବିତ କରିବ। ଏକବିଂଶ ଶତାବ୍ଦୀରେ ମଧ୍ୟ କଶ୍ମୀର ଇତିହାସର ପାପ ନିଜ ମୁଠାକୁ ସଶକ୍ତ କରିଥିଲା।
ଭାଗ ୫- ନୂଆ ଶତାବ୍ଦୀ, କିନ୍ତୁ ପୁରୁଣା ଚ୍ୟାଲେଞ୍ଜ ଓ ନୂଆ କଶ୍ମୀରର ଭ୍ରମ
<!–
–>
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
SOURCE :- ODISHA REPORTER