Source :- ODISHARE REPORTER NEWS
୧୮୮୪ ମସିହାର କଥା। ଜମ୍ମୁ-କଶ୍ମୀରର ମହାରାଜ ପ୍ରତାପ ସିଂହ ତାଙ୍କ ପ୍ରଧାନମନ୍ତ୍ରୀ ଦିୱାନ ଅନନ୍ତ ରାମଙ୍କୁ ଗଭର୍ଣ୍ଣମେଣ୍ଟ ଅଫ ବ୍ରିଟିଶ ଇଣ୍ଡିଆ ବା ଇଂରେଜ ସରକାରଙ୍କୁ ଗୋଟିଏ ଚିଠି ଲେଖିବାକୁ କହିଥିଲେ। ଏହି ଚିଠି ଜରିଆରେ ସେ ନିଜ ରାଜ୍ୟକୁ ବ୍ରିଟିଶ ଶାସନର ରେଳ ନେଟୱର୍କ ସହ ଯୋଡ଼ିବାକୁ ଚାହୁଁଥିଲେ। ତାଙ୍କର ଗୋଟିଏ ସ୍ୱପ୍ନ ପୂରଣ ହୋଇଥିଲା। କିନ୍ତୁ ବିଭାଜନ କାରଣରୁ ଏହା ପୁଣି ଭାଙ୍ଗି ଯାଇଥିଲା। ଆଉ ଗୋଟିଏ ପ୍ରସ୍ତାବ କାଗଜପତ୍ରରେ ସୀମିତ ରହିଥିଲା। କିନ୍ତୁ ମହାରାଜଙ୍କ ତୃତୀୟ ରେଳ ରୁଟ ପ୍ରସ୍ତାବ, ଯାହା କିଛି ମାତ୍ରାରେ ଆରମ୍ଭ ହୋଇଥିଲା, ଏବେ ୧୪୧ ବର୍ଷରେ ତା’ହା ବାସ୍ତବ ରୂପ ନେଇଛି।
ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚେନାବ ଓ ଅଞ୍ଜି ଖାଦ ବ୍ରିଜକୁ ଉଦଘାଟନ କରିଛନ୍ତି। ଦୀର୍ଘ ବର୍ଷ ଧରି କଶ୍ମୀର ରେଳ ଲାଇନ ଭାରତର ଜାତୀୟ ରେଳ ନେଟୱର୍କ ଠାରୁ ଦୂରେଇ ରହିଥିଲା। କିନ୍ତୁ ଚେନାବ-ଅଞ୍ଜି ଖାଦ ବ୍ରିଜର ଉଦଘାଟ ସହ ଏବେ ସବୁ କିଛି ପୂର୍ଣ୍ଣ ହୋଇଛି। ମହାରାଜଙ୍କ ଶହେ ବର୍ଷର ସ୍ୱପ୍ନ ସାକାର ହୋଇପାରିଛି।
ମହାରାଜ ପ୍ରତାପ ସିଂହଙ୍କ ଅଣ ନାତି ତଥା ମହାରାଜ ହରି ସିଂହଙ୍କ ନାତୀ ବିକ୍ରମାଦିତ୍ୟ ସିଂହ କହିଛନ୍ତି, “ଏହି ରେଳ ଲାଇନ ପ୍ରକଳ୍ପ ପ୍ରଥମେ ମହାରାଜ ପ୍ରତାପ ସିଂହଙ୍କ ଶାସନ ସମୟରେ ପରିକଳ୍ପନା କରାଯାଇଥିଲା। ଏବେ ଏହା ବାସ୍ତବ ରୂପ ନେଇଛି। ଏହା କେବଳ ଜମ୍ମୁ-କଶ୍ମୀରର ଲୋକଙ୍କ ପାଇଁ ନୁହେଁ, ବରଂ ପୂରା ଦେଶ ପାଇଁ ଗର୍ବର ବିଷୟ। ଆମ ପ୍ରଧାନମନ୍ତ୍ରୀ ସମସ୍ତଙ୍କ ସ୍ୱପ୍ନକୁ ସାକାର କରିଛନ୍ତି।”
<!–
- 17 March 2022
–>
ଏପରି ରେଳ ସଂଯୋଗ କଶ୍ମୀରରୁ କନ୍ୟାକୁମାରୀ ଟ୍ୟାଗକୁ ବାସ୍ତବ ରୂପ ମଧ୍ୟ ଦେଇଛି। ଭାରତର ଭୌଗଳିକ ସ୍ଥିତିକୁ ଦୃଷ୍ଟିରେ ରଖି ଏପରି ନାରା ଦିଆଯାଇଥାଏ। ଏବେ କଶ୍ମୀରରୁ କନ୍ୟାକୁମାରୀକୁ ରେଳ ସଂଯୋଗ ହୋଇପାରିଛି।
ଏହି ଐତିହାସିକ ଯାତ୍ରା ଅତ୍ୟନ୍ତ କଠିନ ଥିଲା। ରାଜନୀତିକ ବାଦବିବାଦ, ଆର୍ଥିକ ବାଧା ଓ ଭୌଗଳିକ ଚ୍ୟାଲେଞ୍ଜ ଯୋଗୁ ସଫଳତା ହାସଲ କରିବାରେ ବିଳମ୍ବ ହୋଇଥିଲା। ଔପନିବେଶବାଦ, ଦୁଇଟି ବିଶ୍ୱ ଯୁଦ୍ଧ, ବିଭାଜନ ଆଦି ସମସ୍ୟା ମହାରାଜଙ୍କ ସ୍ୱପ୍ନରେ ବାଧା ସୃଷ୍ଟି କରିଥିଲେ ହେଁ ୧୯୮୦ ମସିହାରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧି ପ୍ରଥମେ ମହାରାଜଙ୍କ ସ୍ୱପ୍ନକୁ ପୂରଣ କରିବା ପାଇଁ ଜୋରଦାର ଉଦ୍ୟମ କରିଥିଲେ।
କଶ୍ମୀରକୁ ରେଳ ପଥ ସହ ଯୋଡ଼ିବାକୁ ମହାରାଜଙ୍କ ଯୋଜନା
ଦିୱାନଙ୍କ ଦ୍ୱାରା ରେଳ ରୁଟର ପ୍ରସ୍ତାବ ସହ ମହାରାଜ ପ୍ରତାପ ସିଂହ ବ୍ରିଟିଶ ଇଞ୍ଜିନିୟରମାନଙ୍କୁ ସର୍ଭେ ପାଇଁ ନିୟୋଜିତ କରିଥିଲେ। ୧୮୯୦ରେ କଶ୍ମୀର ଉପତ୍ୟକାର ପାହାଡ଼ିଆ ଅଞ୍ଚଳରେ କେମିତି ରେଳ ଟ୍ରାକ ବନିବ, ତା’କୁ ଯାଞ୍ଚ କରିବାକୁ ସେ ଇଞ୍ଜିନିୟରମାନଙ୍କୁ କହିଥିଲେ।
ମହାରାଜ ଅବୋଟ୍ଟାବାଦରୁ ଶ୍ରୀନଗର, ଯାହା କେବେ ବାସ୍ତବ ରୂପ ନେଇ ନଥିଲା, ଇଲେକ୍ଟ୍ରିକ ଟ୍ରାକ୍ସନ ଦ୍ୱାରା ଜମ୍ମୁ ଠାରୁ ଶ୍ରୀନଗର ରୁଟ ଓ ବିଭାଜନ ପରେ ଅକାମୀ ହୋଇ ଯାଇଥିବା ଜମ୍ମୁ ଠାରୁ ସିଆଲକୋଟ ରେଳ ଲାଇନ ପାଇଁ ପ୍ରସ୍ତାବ ଦେଇଥିଲେ।
ଜମ୍ମୁ ଯାଏ ଯାଇଥିବା ଲାଇନ ସିଆଲକୋଟ ଜିଲ୍ଲା(ଏବେ ପାକିସ୍ତାନ)ର ସୁଚେତଗଡ଼ରୁ ଉତ୍ତର ପଶ୍ଚିତ ରେଳବାଇ(NWR)ର ସଂପ୍ରସାରଣ ଥିଲା, ଯାହା ଲୁଧିଆନା ଓ ପଠାନକୋଟ ମାଧ୍ୟମରେ ଏବେ ବ୍ୟବହାର କରାଯାଉଛି। ସିଆଲକୋଟ-ଜମ୍ମୁ ରେଳ ପଥ ୧୮୯୦ ମସିହା ମାର୍ଚ୍ଚ ମାସରେ ଖୋଲା ଯାଇଥିଲା। କିନ୍ତୁ ଏହାର ୫ ଦଶକ ପରେ ଅର୍ଥାତ ୧୯୪୭ ମସିହା ବିଭାଜନ ଯୋଗୁ ଜମ୍ମୁ-କଶ୍ମୀର ତା’ର ପ୍ରଥମ ରେଳ ପଥକୁ ହରାଇଥିଲା।
ସ୍ୱାଧୀନତା ସଂଗ୍ରାମ ସର୍ବୋଚ୍ଚ ସ୍ତରରେ ପହଞ୍ଚିଥିବା ବେଳେ ପ୍ରଥମ ବିଶ୍ୱଯୁଦ୍ଧ ଆରମ୍ଭ ହୋଇଯାଇଥିଲା। ଏହାପରେ ପ୍ରକଳ୍ପ ଆଗକୁ ଯିବାକୁ ଥିବା ବେଳେ ମହାରାଜ ପ୍ରତାପ ସିଂହଙ୍କ ଦେହାନ୍ତ ହୋଇଯାଇଥିଲା।

ପ୍ରତାପ ସିଂହଙ୍କ ଦେହାନ୍ତ ପରେ ବାକି ରହିଥିବା ଜମ୍ମୁ-ଶ୍ରୀନଗର ରେଳ ଲାଇନ ଅନ୍ଧକାର ଭିତରକୁ ଚାଲି ଯାଇଥିଲା। ଏଥିରେ ଆର୍ଥିକ ବାଧା ମଧ୍ୟ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା।
ଜମ୍ମୁ-ଉଧମପୁର-ଶ୍ରୀନଗର ରେଳ ପ୍ରକଳ୍ପ
୧୯୮୩ରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧି ଜମ୍ମୁ-ଉଧମପୁର-ଶ୍ରୀନଗର ରେଳ ପଥ ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ କରିବା ପରେ ମହାରାଜ ପ୍ରତାପ ସିଂହଙ୍କ ପ୍ରସ୍ତାବ ପୁଣି ଥରେ ୯ ଦଶନ୍ଧି ପରେ ବଳ ଗୋଟାଇ ଥିଲା। ସେତେବେଳେ ଲୁଧିଆନା ଓ ପଠାନକୋଟ ଜରିଆରେ ଜମ୍ମୁ ଭାରତୀୟ ରେଳ ବାଇକୁ ସଂଯୋଗ କରୁଥିଲା।
୧୯୮୩ରେ ରେଳ ପ୍ରକଳ୍ପର ବ୍ୟୟ ବରାଦ ୫୦ କୋଟି ଟଙ୍କା ଥିଲା ଓ ଏହା ୫ ବର୍ଷ ମଧ୍ୟରେ ସରିବ ବୋଲି ଆଶା କରାଯାଉଥିଲା। କିନ୍ତୁ ୧୩ ବର୍ଷ ମଧ୍ୟରେ କେବଳ ୧୧ କିମି ରେଳ ଲାଇନ କାମ ସରିଥିଲା। ୧୯ଟି ଟନେଲ ଓ ୧୧ଟି ବ୍ରିଜ ପାଇଁ ୩୦୦ କୋଟିର ବଜେଟ ଦିଆଯାଇଥିଲା।
ଏହାପରେ ପ୍ରଧାନମନ୍ତ୍ରୀ ଏଚଡି ଦେବଗୌଡ଼ା ଓ ଆଇକେ ଗୁଜରାଲଙ୍କ ସମୟରେ ଉଧମପୁର-କତ୍ରା-ବାରମୁଲ୍ଲା ରେଳ ପ୍ରକଳ୍ପର ଯୋଜନା କରାଯାଇ ୨୫ଶହ କୋଟିର ବ୍ୟୟବରାଦ ହୋଇଥିଲା। ଏହାର ନିର୍ମାଣ କାମ ୧୯୯୭ରେ ଆରମ୍ଭ ହୋଇଥିଲେ ହେଁ ଭୌଗଳିକ ଓ ପାଣିପାଗ ଜନିତ ଚ୍ୟାଲେଞ୍ଜର ସମ୍ମୁଖୀନ ହେବାକୁ ପଡ଼ିଥିଲା। ଉପତ୍ୟକାକୁ ରେଳ ସଂଯୋଗର ଗୁରୁତ୍ୱ ଅଧିକ ଥିବାରୁ ୨୦୦୨ ମସିହାରେ ଏହାକୁ ଜାତୀୟ ପ୍ରକଳ୍ପ ଭାବେ ଘୋଷଣା କରାଯାଇଥିଲା।
୨୦୦୫ ସୁଦ୍ଧା ଜମ୍ମୁ-ଉଧମପୁର ସେକ୍ସନର ୫୫ କିମି ରେଳ ପଥକୁ ପ୍ରଥମଥର ଖୋଲା ଯାଇଥିଲା। ଜମ୍ମୁ ବ୍ୟତୀତ ପ୍ରଥମଥର ପାଇଁ ହିମାଳୟ ପାଦ ଦେଶରେ କୌଣସି ବଡ଼ କାମ ହେବାର ରେକର୍ଡ କରିଥିଲା ଭାରତ।
ଏସବୁ ଭିତରେ କଶ୍ମୀର ଉପତ୍ୟକାରେ ରେଳ ପ୍ରକଳ୍ପ କାମ ଧୀରେଧୀରେ ଆରମ୍ଭ ହୋଇଥିଲା। ୨୦୦୯ ବେଳକୁ ୧୧୯ କିମି ବରମୁଲ୍ଲା-ଶ୍ରୀନଗର-ଅନନ୍ତନାଗ-କାଜିଗୁଣ୍ଡ ସେକ୍ସନ କାମ ସରିଥିଲା। ରେଳ ଚଳାଚଳ ଉପତ୍ୟକାରେ ଶୁଭାରମ୍ଭ କରାଯାଇଥିଲା। କିନ୍ତୁ ଭାରତୀୟ ରେଳବାଇ ଗ୍ରୀଡ ସହ ଏହାର ସଂଯୋଗ ସମ୍ଭବ ହୋଇ ପାରି ନଥିଲା। କାରଣ ଉଧମପୁର-ଶ୍ରୀନଗର-ବାରମୁଲ୍ଲା ରେଳ ଲାଇନ ପ୍ରକଳ୍ପ ବେଶ ଧୀରେଧୀରେ ଆଗକୁ ବଢ଼ୁଥିଲା।

୨୦୧୪ରେ ଉଧମପୁର-କତ୍ରା ସେକ୍ସନକୁ ଉଦଘାଟନ କରାଯାଇଥିଲା। ଏହାଦ୍ୱାରା ମାତା ବୈଷ୍ଣୋ ଦେବୀଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁମାନେ ସିଧାସଳଖ ଯିବାକୁ ସକ୍ଷମ ହୋଇଥିଲେ। ଅବଶିଷ୍ଟ ଭାରତ ସହ କଶ୍ମୀରକୁ ଯୋଡ଼ିବା ଦିଗରେ ଏହା ଏକ ବଡ଼ ପଦକ୍ଷେପ ଥିଲା। ୨୦୨୩ ଅଗଷ୍ଟ ମାସରେ ବନିହାଲ-ସଙ୍ଗାଲଡନ ସେକ୍ସନ ଓ ଏହାପରେ ୨୦୨୪ରେ ଚୂଡ଼ାନ୍ତ କତ୍ରା-ସଙ୍ଗାଲଡନ ରେଳ ମାର୍ଗ ସରିବା ନ ସରିବା ଯାଏ ଉପତ୍ୟକାର ରେଳବାଇ ଏକାନ୍ତବାସର ସମସ୍ୟା କମି ନଥିଲା।
ଏବେ ଚେନାବ-ଅଞ୍ଜି ଖାଦ ବ୍ରିଜର ଉଦଘାଟନ ପରେ କଶ୍ମୀର ରେଳ ଲାଇନ ସଂପୂର୍ଣ୍ଣ ଭାବେ ଜାତୀୟ ରେଳ ନେଟୱର୍କ ସହ ଯୋଡ଼ି ହୋଇପାରିଛି।
କେମିତି କଶ୍ମୀର ଭାରତୀୟ ରେଳ ନେଟୱର୍କ ସହ ଯୋଡ଼ି ହେଲା?
କଶ୍ମୀରକୁ ଲମ୍ବି ଥିବା ରେଳ ଲାଇନ ମଧ୍ୟରେ ୩୮ଟି ଟନେଲ ଓ ୯୨୭ଟି ବ୍ରିଜ ରହିଛି। ସବୁଠାରୁ ଆକର୍ଷଣୀୟ ହୋଇଛି ଚେନାବ ବ୍ରିଜ। ନଦୀ ପଠାରୁ ଏହା ୩୫୯ ମିଟର ଉପରେ ରହିଛି। ଏହାର ଉଚ୍ଚତା ଇଫେଲ ଟାୱାର ଠାରୁ ୩୫ ମିଟର ଅଧିକ। ଏଥିପାଇଁ ଏହାକୁ ବିଶ୍ୱର ସର୍ବୋଚ୍ଚ ରେଳ ବ୍ରିଜର ମାନ୍ୟତା ମିଳିଛି।
ଆବଡ଼ା ଖାବଡ଼ା ପଥରେ ୨୧୫ କିମିର ଆପ୍ରୋଚ ରାସ୍ତା ନିର୍ମାଣ ସମ୍ଭବ ହୋଇପାରିଛି। ଦିନେ ଏଠାରେ କେବଳ ପାଦରେ କିମ୍ବା ଡଙ୍ଗାରେ ଯିବା ମଧ୍ୟ ସମ୍ଭବ ହେଉ ନଥିଲା। ହେଲେ ଏବେ ଏଠାରେ ସୁନ୍ଦର ବ୍ରିଜ ଓ ରାସ୍ତା ନିର୍ମାଣ ହୋଇପାରିଛି। ଅଞ୍ଜି ବ୍ରିଜ ହେଉଛି ଭାରତର ପ୍ରଥମ କେବଲ ଷ୍ଟେ ବ୍ରିଜର ମାନ୍ୟତା ପାଇଛି।
କଶ୍ମୀର ରେଳ ପ୍ରକଳ୍ପରେ ଆତଙ୍କବାଦ ମଧ୍ୟ ସାଂଘାତିକ ସମସ୍ୟା ସୃଷ୍ଟି କରିଥିଲା। ନିର୍ମାଣ ସ୍ଥଳ ଓ ଶ୍ରମିକମାନଙ୍କୁ ଟାର୍ଗେଟ କରି ଏକାଧିକ ଆକ୍ରମଣ ମଧ୍ୟ କରାଯାଇଥିଲା। ୨୦୦୪ରେ ଅନନ୍ତନାଗର ଏକ ନିର୍ମାଣ ସ୍ଥଳରେ ଆତଙ୍କବାଦୀମାନେ ହମଲା କରିବାରୁ ଶ୍ରମିକମାନେ ଆହତ ହୋଇଥିଲେ।
ଆକ୍ରମଣର ବିପଦ ମଧ୍ୟରେ ନିର୍ମାଣ କାମ ଚାଲିଥିଲା। ବନିହାଲ-କାଜିଗୁଣ୍ଡ ଟନେଲ ନିର୍ମାଣ କାମ ୨୦୧୩ରେ ସରିଥିଲା। ଏହା ଉପତ୍ୟକାର ଏକାଧିକ ସମ୍ବେଦନଶୀଳ ଅଞ୍ଚଳ ମଧ୍ୟରେ ଯାଇଛି। ଏବେ ପୂରା କଶ୍ମୀର ଯାଏ ରେଳ ଲାଇନ ପଡ଼ି ଥିବାରୁ ଦିଲ୍ଲୀ ସହ ଥିବା ଦୂରି ମଧ୍ୟ ହ୍ରାସ ପାଇଛି।
<!–
–>
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
SOURCE :- ODISHA REPORTER