Source :- ODIA PUA
ଭଦ୍ରକ, ୨୯ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ବ୍ଲକ୍ ଅଧୀନସ୍ଥ ରାନ୍ଦିଆ ପଂଚାୟତର କିଆଗଡିଆ ଗ୍ରାମରେ ଅଗ୍ନିକାଣ୍ଡ ଘଟି ଜଣେ ବ୍ୟକ୍ତିଙ୍କର ଦୁଇବଖରା ଘର ଓ ଗୁହାଳ ପୋଡି ପାଉଁଶ ହୋଇଯାଇଛି । ଏମିତିକି ଏହି ଅଗ୍ନିକାଣ୍ଡରେ ମାନସ ସ୍ୱାଇଁଙ୍କ ପରିବାର ସର୍ବସ୍ୱ ହରାଇଛନ୍ତି । ଖାଇବାକୁ ଘରେ ମୁଠାଏ ଚାଉଳ କି ପିନ୍ଧିବାକୁ ଖଣ୍ଡେ କନା ନାହିଁ । ପ୍ରାପ୍ତ ଖବରରୁ ଯାହା ଜଣାଯାଏ ଆଜି ସକାଳେ କୌଣସି କାରଣରୁ ମାନସ ସ୍ୱାଇଁ ଘରେ ନଥିବାବେଳେ ଅଗ୍ନିକାଣ୍ଡ ଘଟିଥିଲା । ଏହି ଅଗ୍ନିକାଣ୍ଡ ଏତେ ଭୟଙ୍କର ଥିଲା ଯେ ଚାହୁଁ ଚାହୁଁ ଘରେ ଥିବା ଟିଭି ଗଡରେଜ, ଲୁଗାପଟା, କଂସା ବାସନ ଏମିତିକ ଆନ୍ଧ୍ରା ବ୍ୟାଙ୍କରୁ ଉଠାଇଥିବା ଟଙ୍କା ମଧ୍ୟ ପୋଡି ପାଉଁଶ ହୋଇଯାଇଥିଲା । ଖବର ପାଇ ସ୍ଥାନୀୟ ବିଧାୟକ ତଥା ସହୀଦ ଭଗତ ସେନାର ଆବାହକ ସୀତାଂଶୁ ଶେଖର ମହାପାତ୍ରଙ୍କ ନିର୍ଦ୍ଦେଶ କ୍ରମେ ସଂଗଠନ ସଦସ୍ୟମାନେ ମାନସଙ୍କ ଘରେ ପହଂଚି ଶୁଖିଲା ଖାଦ୍ୟ, ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇଦେବା ସହ ପୀଡିତ ପରିବାରଙ୍କୁ ସମବେଦନା ଜଣାଇଛନ୍ତି । ମାନସ ସ୍ୱାଇଁଙ୍କ ପରିବାର ଏବେ ଖୋଲା ଆକାଶ ତଳେ ଥିବାରୁ ସରକାରୀ ସ୍ତରରେ ଜିଲା ପ୍ରଶାସନ ତୁରନ୍ତ ସେମାନଙ୍କୁ ସହାୟତା ଯୋଗାଇଦେବାକୁ ସାଧାରଣରେ ଦାବି ହୋଇଛି ।
SOURCE: ODIA PUA