Source :- ODIA PUA
ଭଦ୍ରକ, ୨୧ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଠିକାଦାରଙ୍କ ଠାରୁ ଲାଂଚ ନେବା ଅଭିଯୋଗରେ ଆଜି ଜଣେ ସହାୟକ କାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କୁ ଚାକିରୀରୁ ବହିଷ୍କାର କରାଯାଇଛି। ସୂଚନା ଅନୁସାରେ କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଗ୍ରାମୀଣ କାର୍ଯ୍ୟ ଉପବିଭାଗର ପୂର୍ବତନ ସହାୟକ ଯନ୍ତ୍ରୀ ତଥା ବର୍ତମାନର ଭଦ୍ରକ ଜିଲା ବାସୁଦେବପୁର ଗ୍ରାମୀଣ କାର୍ଯ୍ୟ ଉପବିଭାଗର ସହାୟକ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଶ୍ରୀକାନ୍ତ କୁମାର ମାହୁନ୍ତ ପିଏମ୍ଜିଏସ୍ୱାଇ ଯୋଜନା ଅନ୍ତର୍ଗତ ରାସ୍ତା ନିର୍ମାଣ କାର୍ଯ୍ୟର ମାପ ଓ ଯାଂଚ ପାଇଁ ଜଣେ ଠିକାଦାରଙ୍କ ଠାରୁ ୨୦ ହଜାର ଟଙ୍କା ଲାଂଚ ଦାବି କରି ତାଙ୍କଠାରୁ ଉକ୍ତ ଟଙ୍କା ଲାଂଚ ନେଇଥିଲେ। ଉକ୍ତ ଘଟଣାରେ ଶ୍ରୀ ମାହୁନ୍ତଙ୍କ ବିରୁଦ୍ଧରେ କଟକ ଭିଜିଲାନ୍ସ ଥାନା କେଶ୍ ନଂ ୩୦, ତା ୩୦.୦୫.୧୧ ରିଖ, ଦଫା ୧୩(୨), ରିଡ୍ ୱିଥ୍ ୧୩(୧)(ଡି), ୭ ପିସି ଆକ୍ଟ ୧୯୮୮ ମାମଲା ହୋଇ ଚାର୍ଜସିଟ୍ କରାଯାଇଥିଲା। କଟକର ଭିଜିଲାନ୍ସ ବିଚାରପତି ଲାଂଚ ମାମଲାରେ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଶ୍ରୀ ମାହୁନ୍ତଙ୍କୁ ୨୦୨୪ ସେପ୍ଟେମ୍ବର ୨୪ ତାରିଖରେ ଦୋଷୀ ସାବ୍ୟସ୍ତ କରି ୪ ବର୍ଷ ପାଇଁ ସଶ୍ରମ କାରାଦଣ୍ଡ ସହ ଜରିମାନାରେ ଦଣ୍ଡିତ କରିଥିଲେ। ଶ୍ରୀ ମାହୁନ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିବା ପରେ ତାଙ୍କ ବିରୁଦ୍ଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସକ୍ଷମ ପ୍ରାଧିକରଣଙ୍କୁ ଏହି ସଂପର୍କରେ ଜଣାଇଥିଲେ। ଓସିଏସ୍ (ସିସିଏ) ନିୟମ ୧୯୬୨ ଅନୁସାରେ ସ୍ୱତନ୍ତ୍ର ଅଧିକାରୀଙ୍କ ଦ୍ୱାରା ଶ୍ରୀ ମାହୁନ୍ତଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇ ଆଜି ତାଙ୍କୁ ସରକାରୀ ଚାକିରୀରୁ ବହିଷ୍କାର କରାଯାଇଥିବାର ଜଣାପଡିଛି।
SOURCE: ODIA PUA