Home national news oriya ପବିତ୍ର ଜାଗରଯାତ୍ରାରେ ଆଖଣ୍ଡଳମଣିଙ୍କୁ ଦର୍ଶନ କଲେ ଲକ୍ଷାଧିକ ଭକ୍ତ, ରାତ୍ର ୧ଟାରେ ସୁନାବେଶ, ଭୋର ୪ଟା୩୦ରେ...

ପବିତ୍ର ଜାଗରଯାତ୍ରାରେ ଆଖଣ୍ଡଳମଣିଙ୍କୁ ଦର୍ଶନ କଲେ ଲକ୍ଷାଧିକ ଭକ୍ତ, ରାତ୍ର ୧ଟାରେ ସୁନାବେଶ, ଭୋର ୪ଟା୩୦ରେ ମନ୍ଦିର ଚୂଡାକୁ ଉଠିବ ମହାଦୀପ

7
0

Source :- ODIA PUA

ଭଦ୍ରକ, ୧୫ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପବିତ୍ର ଜାଗରଯାତ୍ରା ପାଇଁ ଉତ୍ସବ ମୁଖର ହୋଇ ଉଠିଥିଲା ଭଦ୍ରକ ଜିଲାର ପ୍ରସିଦ୍ଧ ଶୈବକ୍ଷେତ୍ର ବାବା ଆଖଣ୍ଡଳମଣିଙ୍କ ପୀଠ। ନିର୍ଦ୍ଧାରିତ ସମୟ ଅନୁଯାୟୀ ଭୋର ୪ଟାରେ ମନ୍ଦିର ଦ୍ୱାର ଫିଟାଯିବା ପରେ ମଙ୍ଗଳ ଆଳତୀ, ପରମ୍ପରା ଅନୁଯାୟୀ କନିକା ରାଜାଙ୍କ ପକ୍ଷରୁ ଘର୍ଷଣଲାଗି, ଜଳାଭିଷେକ ନୀତି ସମ୍ପନ୍ନ ହେବା ପରେ ବାବାଙ୍କୁ ନବସ୍ତ୍ର ଲାଗି କରାଯାଇ ଦିଗମ୍ବର୍ୱେଶରେ ପାଳିଆ ସେବାୟତ ପକ୍ଷରୁ ବଢାଭାତ(ଖେଚୁଡ଼ି ଅନ୍ନନୀତି) ଭୋଗ ଲାଗି କରାଯାଇଥିଲା। ସକାଳ ୫ଟାରୁ ରାତ୍ର ୧୨ଟା ଯାଏ ସାହାଣମେଲା ଦର୍ଶନରେ ଶ୍ରଦ୍ଧାଳୁ ଭକ୍ତମାନେ ସ୍ୱତନ୍ତ୍ର ବ୍ୟାରିକେଡ଼ ଯାଇ ବାବାଙ୍କୁ ଦର୍ଶନ କରିଥିଲେ। ଏଥିପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା। ଅଗଣିତ ଭକ୍ତ ଧାଡ଼ି ଦର୍ଶନରେ ବାବାଙ୍କୁ ପୂଜା ଲାଗି କରିବା ସହ ଦୀପ ଜାଳିଥିଲେ। ସଂଧ୍ୟା ୬ଟାରୁ ରାତି ୧୨ଟା ଯାଏଁ ଚାରି ପ୍ରହର ରୁଦ୍ରାଭିଷେକ, ଘର୍ଷଣଲାଗି ସହ ପଂଚ ଉପଚାର ନୀତି ସମ୍ପନ୍ନ ହେବା ପରେ ରାତ୍ର ୧ଟାରେ ଦୁର୍ଲଭ ସୁନାବେଶରେ ଦର୍ଶନ ଦେବେ ବାବା। ରାତ୍ର ୩ଟାରେ ମହାଦୀପ ସେବାୟତଙ୍କ ପକ୍ଷରୁ ପ୍ରସ୍ତୁତ ହେବା ପରେ ମହାଦୀପକୁ ଗୁପ୍ତ ଷୋଡ଼ଶ ଉପଚାରରେ ପ୍ରତିଷ୍ଠା କରାଯିବା ସହିତ ଅଗ୍ନି ସଂଯୋଗ କରାଯିବା ପରେ ମନ୍ଦିର ବେଢ଼ା ପରିକ୍ରମା କରାଯାଇ ଭୋର ୪ଟା୩୦ରୁ ୫ଟା ମଧ୍ୟରେ ମନ୍ଦିରଚୂଡାକୁ ମହାଦୀପ ଉଠିବ। ପୀଠରେ ଲକ୍ଷାଧିକ ଭକ୍ତଙ୍କ ଆଗମନ ଲାଗି ରହିଥିବାରୁ ପୀଠରେ ତିନିଥାକିଆ ସୁରକ୍ଷା ବ୍ୟବସ୍ଥା ସହ ମନ୍ଦିର ଭିତରେ ଓ ବାହାରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ସେହିପରି ଜଳପଥରେ ଓଡ଼୍ରାଫ୍ ଟିମ୍ ଓ ଅଗ୍ନିଶମ ବାହିନୀ ନିୟୋଜିତ ରହିଥିଲେ।

SOURCE: ODIA PUA