Home national news oriya ଧୂଷୁରୀ ଏନଏସି ପାଇଁ ପ୍ରକାଶ ପାଇଲା ଚିଠା ବିଜ୍ଞପ୍ତି: ୧୪ ଟି ୱାର୍ଡରେ ହେବ ବିଭକ୍ତ

ଧୂଷୁରୀ ଏନଏସି ପାଇଁ ପ୍ରକାଶ ପାଇଲା ଚିଠା ବିଜ୍ଞପ୍ତି: ୧୪ ଟି ୱାର୍ଡରେ ହେବ ବିଭକ୍ତ

8
0

Source :- ODIA PUA

ଭଦ୍ରକ, ୧୨ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ଧାମନଗର ବ୍ଲକର ଧୁଷୁରୀ ଅଂଚଳକୁ ନେଇ ନବଗଠିତ ବିଜ୍ଞାପିତ ଅଂଚଳ ପରିଷଦର ୱାର୍ଡ ସୀମା ନିର୍ଦ୍ଧାରଣ ଓ ଆସନ ସଂରକ୍ଷଣ ନେଇ ଅଧିସୂଚନା ଜାରି ହୋଇଛି। ଭଦ୍ରକ ଜିଲ୍ଲାପାଳ ଏବଂ ଜିଲ୍ଲା ମାଜିଷ୍ଟ୍ରେଟ୍ ଦିଲୀପ ରାଉତରାଏଙ୍କ ପକ୍ଷରୁ ଜାରି ହୋଇଥିବା ଅଧିସୂଚନା ଅନୁସାରେ ଧୁଷୁରୀ ରେ ୧୪ ଟି ୱାର୍ଡ ରହିବ। ପ୍ରତ୍ୟେକ ୱାର୍ଡର ସୀମାରେଖା ସ୍ପଷ୍ଟ କରାଯାଇଛି, ଯେଉଁଥିରେ ବାଙ୍କ ସାହି, ଜେନା ସାହି, ବ୍ରାହ୍ମଣୀପାଳ, ନଦୀଗାଁ, ଓଲଟପୁର ଏବଂ ପାଣିସାହି ଭଳି ବିଭିନ୍ନ ଅଂଚଳକୁ ସାମିଲ କରାଯାଇଛି। ପ୍ରତ୍ୟେକ ୱାର୍ଡର ସୀମା ନିର୍ଦ୍ଧାରଣ ପାଇଁ ସ୍ଥାନୀୟ ପ୍ରମୁଖ ବ୍ୟକ୍ତିଙ୍କ ବାସଭବନ, ସରକାରୀ ଶିକ୍ଷାନୁଷ୍ଠାନ ଏବଂ ନଦୀନାଳକୁ ମାନଦଣ୍ଡ ଭାବେ ଗ୍ରହଣ କରାଯାଇଛି।ବାଙ୍କସାହି ରୁ ଆରମ୍ଭ ହୋଇ ମୁନା ମଣ୍ଡଳଙ୍କ ଘର ପର୍ଯ୍ୟନ୍ତ ଓ ପଶ୍ଚିମରେ ରେବ ନଦୀ ଯାଏ ୧ ନମ୍ବର ୱାର୍ଡ। ସେହିପରି ସୁକ ଜେନାଙ୍କ ଘରୁ ଯୁଧିଷ୍ଠିର ବେହେରାଙ୍କ ଘର ପର୍ଯ୍ୟନ୍ତ ଓ ଦକ୍ଷିଣ ସୀମାରେ ବି. ବି. ହାଇସ୍କୁଲ ଯାଏ ୨ ନମ୍ବର ୱାର୍ଡ। ବ୍ରଜ ପତିଙ୍କ ଘରୁ ଶବର ସାହି ପର୍ଯ୍ୟନ୍ତ ବିସ୍ତାରିତ, ଯାହାର ପୂର୍ବରେ ମାଟିଗାଡ଼ିଆ ନାଳ ଯାଏ ୫ ନମ୍ବର ୱାର୍ଡ। ଶିବ ବିଶ୍ୱାଳଙ୍କ ଘରୁ ଆରମ୍ଭ କରି ପତ୍ରୀ ସାହି ବ୍ରିଜ୍ ପର୍ଯ୍ୟନ୍ତ ଓ ଦକ୍ଷିଣରେ ଧୂଷୁରୀ ସରକାରୀ ହାଇସ୍କୁଲକୁ ନେଇ ୮ ନମ୍ବର ୱାର୍ଡ। ୱାର୍ଡ-୧୩ ଏବଂ ୧୪ ଦୁଇ ୱାର୍ଡର ସୀମା ଶରତ ନଦୀ, ଉଗ୍ରତାରା ନଦୀ ଏବଂ କୋଚିଳା ନଦୀ ଦ୍ୱାରା ନିୟନ୍ତ୍ରିତ ହେଉଛି। ଅଧିକାଂଶ ୱାର୍ଡର ପୂର୍ବ କିମ୍ବା ପଶ୍ଚିମ ସୀମାରେ ଭଦ୍ରକ-ଆରଡ଼ି ଷ୍ଟେଟ୍ ହାଇୱେ ଏବଂ ବିଭିନ୍ନ ଆରଡି ରୋଡ୍ ରହିଛି। ବିଶେଷ କରି ୱାର୍ଡ-୨, ୱାର୍ଡ-୮ ଏବଂ ୱାର୍ଡ-୧୪ ର ସୀମା ନିର୍ଦ୍ଧାରଣରେ ଷ୍ଟେଟ୍ ହାଇୱେକୁ ମୁଖ୍ୟ ସୀମା ଭାବେ ଗ୍ରହଣ କରାଯାଇଛି। ଅଧିସୂଚନାର ବିବରଣୀ-।। ଅନୁଯାୟୀ, ବିଭିନ୍ନ ବର୍ଗର ପ୍ରାର୍ଥୀଙ୍କ ପାଇଁ ଆସନ ସଂରକ୍ଷଣ କରାଯାଇଛି। ୱାର୍ଡ ନମ୍ବର ୧, ୩, ୪, ୧୨ ଓ ୧୩ ମହିଳାଙ୍କ ପାଇଁ ସଂରକ୍ଷିତ ରଖାଯାଇଛି। ୱାର୍ଡ-୨କୁ ଅନୁସୂଚିତ ଜାତି (ମହିଳା) ଓ ୱାର୍ଡ-୫କୁ ଅନୁସୂଚିତ ଜନଜାତି (ମହିଳା)ଙ୍କ ପାଇଁ ସଂରକ୍ଷିତ ଅଛି। ସେହିପରି ୱାର୍ଡ ନମ୍ବର ୧୪କୁ ଅନୁସୂଚିତ ଜାତିଙ୍କ ପାଇଁ ସଂରକ୍ଷିତ ରଖାଯାଇଛି। ତେବେ ୱାର୍ଡ-୬, ୭, ୮, ୯, ୧୦ ଓ ୧୧ ଅଣ-ସଂରକ୍ଷିତ ବା ସାଧାରଣବର୍ଗଙ୍କ ଉଦ୍ଦିଷ୍ଟ ଅଛି।ଏହି ଚିଠା ବିଜ୍ଞପ୍ତି ସମ୍ପର୍କରେ ଯଦି କୌଣସି ବ୍ୟକ୍ତିଙ୍କର କିଛି ଆପତି କିମ୍ବା ପରାମର୍ଶ ଥାଏ, ତେବେ ସେମାନେ ବିଜ୍ଞପ୍ତି ପ୍ରକାଶ ପାଇବାର ୧୦ ଦିନ ମଧ୍ୟରେ ନିଜର ମତାମତ ଦେଇପାରିବେ। ନିର୍ଦ୍ଧାରିତ ସମୟ ପରେ ମିଳିଥିବା ଆପତି ଗ୍ରହଣ କରାଯିବ ନାହିଁ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଏହି ବିଜ୍ଞପ୍ତିର ନକଲ ଧାମନଗର ବିଡିଓ, ତହସିଲଦାର, ଧୂଷୁରୀ ଏନଏସି ନିର୍ବାହୀ ଅଧିକାରୀଙ୍କ ସମେତ ଧୂଷୁରୀ, ବମକୁରା, କୋଠାର ଓ ନଦୀଗାଁ ସରପଂଚମାନଙ୍କୁ ଅବଗତି ନିମନ୍ତେ ପଠାଯାଇଥିବା ଜଣାପଡ଼ିଛି। ଜନସାଧାରଣଙ୍କ ସୂଚନା ପାଇଁ ଏହାକୁ ଜିଲ୍ଲା ୱେବସାଇଟରେ ମଧ୍ୟ ଉପଲବ୍ଧ କରାଯାଇଛି।

SOURCE: ODIA PUA