Home national news oriya ଐତିହାସିକ ଗୋହିରାଟିକିରି ମଠରେ ଅସନ୍ତୋଷ, ମହନ୍ତଙ୍କ ବ୍ୟବହାରକୁ ନେଇ ବିବାଦ ତେଜିଲା, ଗ୍ରାମବାସୀଙ୍କ ଜରୁରୀ ବୈଠକ

ଐତିହାସିକ ଗୋହିରାଟିକିରି ମଠରେ ଅସନ୍ତୋଷ, ମହନ୍ତଙ୍କ ବ୍ୟବହାରକୁ ନେଇ ବିବାଦ ତେଜିଲା, ଗ୍ରାମବାସୀଙ୍କ ଜରୁରୀ ବୈଠକ

19
0

Source :- ODIA PUA

ଭଦ୍ରକ, ୧୪ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଓଡ଼ିଶାର ଇତିହାସ ସହ ଜଡ଼ିତ ଧାମନଗର ବ୍ଲକ ଦୋବଲ ନିକଟସ୍ଥ ମୁସ୍ତାଫାପୁର ପଂଚାୟତର ପ୍ରସିଦ୍ଧ ଗୋହିରାଟିକିରି ମଠ ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ଓଡ଼ିଶାର ଶେଷ ସ୍ୱାଧୀନ ରାଜା ଗଜପତି ମୁକୁନ୍ଦ ଦେବଙ୍କ ବୀରତ୍ୱ ଓ ଆତ୍ମବଳିର ସ୍ମୃତି ବହନ କରୁଥିବା ଏହି ପର୍ଯ୍ୟଟନ ସ୍ଥଳୀରେ ଏବେ ଅଶାନ୍ତିର ବାତାବରଣ ଦେଖାଦେଇଛି। ମଠର ମହନ୍ତଙ୍କ ଅସଦାଚରଣ ଓ ସ୍ଥାନୀୟ ଲୋକଙ୍କ ସହ ବିବାଦକୁ ନେଇ ଜନ ଅସନ୍ତୋଷ ତୀବ୍ର ହେବାରେ ଲାଗିଛି।ସ୍ଥାନୀୟ ବାସିନ୍ଦାଙ୍କ ଅଭିଯୋଗ ଅନୁଯାୟୀ, ମଠର ବର୍ତମାନର ମହନ୍ତ ବିଭିନ୍ନ ସମୟରେ ଭକ୍ତ ଓ ପର୍ଯ୍ୟଟକଙ୍କୁ ଉଚିତ ସମ୍ମାନ ପ୍ରଦାନ କରୁନାହାନ୍ତି। ଏହି ଘଟଣାକୁ ନେଇ ମଠ ମହନ୍ତ ଓ ଗ୍ରାମବାସୀଙ୍କ ମଧ୍ୟରେ ଦୀର୍ଘ ଦିନ ହେବ ତିକ୍ତତା ଲାଗି ରହିଛି। ସ୍ଥିତି ଏପରି ହୋଇଛି ଯେ, ଏହି ବିବାଦ ଏବେ ଧାମନଗର ଥାନାର ଦ୍ୱାରସ୍ଥ ହୋଇଛି।ଏହି ଐତିହାସିକ ପୀଠର ସୁରକ୍ଷା ଓ ଗାରିମା ରକ୍ଷା ପାଇଁ ସ୍ଥାନୀୟ ଗ୍ରାମବାସୀଙ୍କ ପକ୍ଷରୁ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଶତାଧିକ ଲୋକ ଯୋଗ ଦେଇ ମଠର ପରିଚାଳନାଗତ ତ୍ରୁଟି ଓ ମହନ୍ତଙ୍କ ବ୍ୟବହାର ଉପରେ ଗଭୀର ଚିନ୍ତା ପ୍ରକଟ କରିଛନ୍ତି।ଜଗବନ୍ଧୁ ପ୍ରଧାନ,ପିତାମ୍ବର ବିଶ୍ୱାଳ,ଦଶରଥ ଗାହାଣ,ପଦ୍ମଲାଭ ରାଉତ,ଅର୍ଜୁନ ବେହେରା ଙ୍କ ସମେତ ଶତାଧିକ ଗ୍ରାମବାସୀ ବୈଠକ ରେ ଉପସ୍ଥିତ ଥିଲେ।ଗୋହିରାଟିକିରି ମଠ ଆମ ଅଂଚଳର ଗର୍ବ। ଏଠାରେ ମୁକୁନ୍ଦ ଦେବଙ୍କ ଇତିହାସ ଜଡ଼ିତ। କିନ୍ତୁ ମହନ୍ତଙ୍କ ଏପରି ବ୍ୟବହାର ଏହି ପବିତ୍ର ପୀଠର ମର୍ଯ୍ୟାଦା ହାନି କରୁଛି। ମଠର ସୁରକ୍ଷା ପାଇଁ ଆମେ ସଂକଳ୍ପବଦ୍ଧ ବୋଲି ଉପସ୍ଥିତ ଗ୍ରାମବାସୀ କହିଛନ୍ତି।ମଠର ସୁରକ୍ଷା ଓ ବିବାଦର ସମାଧାନ ପାଇଁ ଗ୍ରାମବାସୀ ମାନେ ପ୍ରଶାସନର ହସ୍ତକ୍ଷେପ ଲୋଡ଼ିଛନ୍ତି। ଯଦି ଆଗାମୀ ଦିନରେ ଏହାର ସ୍ଥାୟୀ ସମାଧାନ ନହୁଏ, ତେବେ ଆନ୍ଦୋଳନକୁ ଆହୁରି ବ୍ୟାପକ କରାଯିବ ବୋଲି ଚେତାବନୀ ଦିଆଯାଇଛି। ଏହି ଘଟଣା ଏବେ ସମଗ୍ର ଭଦ୍ରକ ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି।ଏ ଦିଗରେ ମଠର ମହନ୍ତ କହିଛନ୍ତି ମୋ ବିରୁଦ୍ଧରେ ସବୁ ଚକ୍ରାନ୍ତ ଚାଲିଚି ସବୁ ଅଭିଯୋଗ କୁ ମୁକାବିଲା କରିବାକୁ ପ୍ରସ୍ତୁତ ବୋଲି କହିଛନ୍ତି।

SOURCE: ODIA PUA